Below header

ଶାସକ ଦଳର ବିଧାୟକଙ୍କ ଗରମରେ ଥଣ୍ଡା ପଡିଗଲା ବିଧାନସଭା ଶୀତ ଅଧିବେଶନ, ଆଜି ବି ଚାଲିପାରିଲାନି ଗୃହ

ଭୁବନେଶ୍ବର : ଥଣ୍ଡା ପଡିଗଲା ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ପୋଷ୍ଟ ମାଟ୍ରିକ ସ୍କଲାରସିପ ପ୍ରସଙ୍ଗରେ ପ୍ରଥମେ ଗୃହ ଭିତରେ ହଟ୍ଟଗୋଳ ଓ ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଶାସକ ଦଳର ବିଧାୟକଙ୍କ ଧାରଣା । ଗୃହର ପ୍ରଶ୍ନକାଳରେ ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ ସ୍କିମ ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ବର୍ଷିଥିଲେ ବିଜେଡି ବିଧାୟକ । ପୂର୍ବରୁ ଏ ଯୋଜନାରେ କେନ୍ଦ୍ରକୁ ୯୦ ପ୍ରତିଶତ ଓ ରାଜ୍ୟକୁ ଦେବାକୁ ପଡୁଥିଲା ୧୦ ପ୍ରତିଶତ ଅର୍ଥ । କିନ୍ତୁ ଏବେ ସ୍ଥିତି ଓଲଟା । ଏବେ କେନ୍ଦ୍ର ନିଜ ଅଂଶଧନ କମାଇ ମାତ୍ର ୨୦ ପ୍ରତିଶତ ଅର୍ଥ ଦେଉଛି । ବାକି ୮୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରୁଛନ୍ତି । ଅନୁଦାନ ପାର୍ଟନ ବଦଳିବା ପରେ ୨୦୧୭-୧୮ରେ ଏହି ଯୋଜନାରେ ରାଜ୍ୟ ୨୩୮.୨୮ କୋଟି ଟଙ୍କା ବହନ କରିଛି । କେନ୍ଦ୍ର ଦେଇଛି ମାତ୍ର ୩୫.୧୨ କୋଟି ଟଙ୍କା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ୨୩୮.୨୮ କୋଟି ଟଙ୍କା ଓ କେନ୍ଦ୍ର ସରକାର ୪୯.୩୯ କୋଟି ଟଙ୍କା ଦେଇଛନ୍ତି । ବାରମ୍ବାର କେନ୍ଦ୍ର ଅଂଶଧନ ହ୍ରାସକୁ ନେଇ ଟାର୍ଗେଟ କରିଥିଲେ ବିଜେଡି ବିଧାୟକ ।

ସେପଟେ ଢେଙ୍କାନାଳରେ ବଟଲିଂ ପ୍ଲାଣ୍ଟ ପ୍ରସଙ୍ଗରେ ବିରୋଧୀ ମୁଲତବୀ ନୋଟିସ ଆଣିଥିଲେ । ଆଲୋଚନା ପାଇଁ ଗ୍ରହଣ କରିଥିଲେ ବାଚସ୍ପତି। କିନ୍ତୁ ଏ ପ୍ରସଙ୍ଗକୁ ଏଡାଇବା ପାଇଁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ର ବାହାନା ନିଆଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସେପଟେ ଅପରାହଣ ଅଧିବେଶନରେ ସଚିବାଳୟରେ ସିବିଆଇ ଏଣ୍ଟ୍ରି ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଥିଲା କଂଗ୍ରେସ। କେଉଁ ପରିସ୍ଥିତିରେ କେଉଁ ମାମଲାରେ ସିବିଆଇ ସଚିବାଳୟକୁ ଯାଇଥିଲା ତାହା ଉପରେ ସ୍ପଷ୍ଟୀକରଣ ଦିଆଯାଉ ବୋଲି କଂଗ୍ରେସ କହିଛି।

ପୂର୍ବାହଣରେ ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ ପ୍ରସଙ୍ଗ ଓ ଅପରାହ୍ଣରେ ସଚିବାଳୟରେ ସିବିଆଇ ଏଣ୍ଟ୍ରି ମାରିବା ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ଠପ୍‌ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.