ପୁଣି ଫେରିଲା ଶୀତ: ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୬ ସେଲସିୟସ୍ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଫେରିଲା ଶୀତ। ଏବେ ରାଜ୍ୟ ମଧ୍ୟକୁ ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ପୁଣି ଶୀତ ବଢ଼ିବା ସହ ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରୀ ଅନୁଭୂତ ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତି ତାପମାତ୍ରା। ଏଥିସହ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ୨ ଦିନ ଶୀତ ଲହରୀ ପ୍ରବାହିତ ହେବ ବୋଲି କୁହାଯାଇଛି।

ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟିଗିରି ଓ କିରେଇରେ ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାରେ ୮ ଡିଗ୍ରୀ, ଭୁବନେଶ୍ୱରରେ ୧୬.୫ ଓ କଟକରେ ୧୬.୬ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ଏବେ ଦିନ ତାପମାତ୍ରା ମଧ୍ୟ ଅଧିକ ରହିଥିବାବେଳେ ଆକାଶ ସଫା ଯୋଗୁଁ ଖରା ପ୍ରବଳ ହେଉଛି।