ମଦ ଦୋକାନକୁ ଭାଙ୍ଗିବା ସହ ବିପୁଳ ପରିମାଣର ମଦ ନଷ୍ଟ କଲେ ମହିଳା, ଏପଟେ ପେଟି ବୋହିନେଲେ ପୁରୁଷ

ଯାଜପୁର: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା । ଉତ୍ୟକ୍ତ ମହିଳାମାନେ ମଦ ଦୋକାନକୁ ବାଡେଇ ଭାଙ୍ଗିବା ସହ ବିପୁଳ ପରିମାଣର ମଦ ନଷ୍ଟ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତ ଅଧିନ କୁରୁକୁରା ଗ୍ରାମରେ । ଏଠାରେ ନୂତନ କରି ଏକ ସରକାରୀ ମଦ ଦୋକାନ ଖୋଲାଯାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ମହିଳା ।

ଗତକାଲି ରାତିରେ ସଂପୃକ୍ତ ମଦ ଦୋକାନୀ ବିପୁଳ ପରିମାଣର ମଦ ଆଣି ଦୋକାନରେ ଗଚ୍ଛିତ ରଖିଥିଲେ । ଏହି ଖବର ଜାଣିବା ପରେ ଆଜି ସକାଳୁ ଶତାଧିକ ମହିଳା ଏକାଠି ହୋଇ ମଦ ଦୋକାନକୁ ବାଡେଇ ଭାଙ୍ଗିବା ସହ ମଦକୁ ନଷ୍ଟ କରିଥିଲେ । ଏଠାରେ ମଦ ବ୍ୟବସାୟ ହେଲେ ସ୍ଥାନୀୟ ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ । ଯାହାକୁ ନେଇ ପୂର୍ବରୁ ଏଠାରେ ମଦ ଦୋକାନ ନକରିବାକୁ ମହିଳାମାନେ ବିରୋଧ କରିଥିଲେ ।ବିରୋଧ ସତ୍ୱେ ଏଠାରେ ମଦ ଦୋକାନ ଖୋଲିବାରୁ ମହିଳାମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

ଅପରପକ୍ଷେ ମହିଳାମାନେ ମଦ ପେଟିକୁ ଆଣି ବାହାରେ ଫିଙ୍ଗିବା ପରେ ସ୍ଥାନୀୟ ଅଂଚଳର ଯୁବକ ଓ ପୁରୁଷ ମାନେ ମଦ ବୋହିନେବାର ଦୃଶ୍ୟ ମଧ୍ଯ ବେଶ ଚକିତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.