Below header

ସେ ପରା ମା…. ନିଜ ପୁଅକୁ ବଞ୍ଚାଇବାକୁ ଯାଇ ବିଷାକ୍ତ ସାପର ଚୋଟ ଖାଇ ଆଖି ବୁଜିଲା ମା’

ଯାଜପୁର ଟାଉନ(କେନ୍ୟୁଜ୍): ଧନରେ ତୁ ମୋ ପାଇଁ ସବୁକିଛି। ତୁ ବଞ୍ଚିରହିବା ମୋ ପାଇଁ ସବୁଠାରୁ ବଡ଼। ଏଭଳି କିଛି ମନରେ ଭାବି ମାତୃ ଶବ୍ଦକୁ ସାର୍ଥକ କରିଛନ୍ତି ଜଣେ ମା’। ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ  ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।   ଏଭଳି ଦୁଃଖବ ଘଟଣା ଦେଖିବାକୁ  ମିଳିଛି ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମରେ ।  ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗ୍ରାମ ବନମାଳି ଜେନାଙ୍କ ଝିଅ ପ୍ରୀୟଦର୍ଶିନୀ (୨୫)  ୨୦୧୯ ମସିହା ଅପ୍ରେଲ ମାସ ଉକ୍ତ ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମଇ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।  ମା’ ପ୍ରୀୟଦର୍ଶିନୀ ଖୁବ୍ ସ୍ନେହ ଶ୍ରଦ୍ଧାରେ ପୁଅକୁ ଲାଳନ ପାଳନ କରିଆସୁଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।  ପ୍ରୀୟଦର୍ଶିନୀଙ୍କ ଏହି ଖୁସିରେ ଗ୍ରହଣ ଲାଗିଯାଇଥିଲା ।jajpur

ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତଥିବା ମା’ ପ୍ରୀୟଦର୍ଶିନୀ କିଛି ସମୟ ବ୍ୟବଧାନରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ବିଷାକ୍ତ ନାଗ ସାପ ପୁଅ ନିକଟକୁ କ୍ଷୀପ୍ରଗତିରେ ମାଡି ଚାଲିଛି । ବିପଦ ପୁଅର ଅତି ନିକଟରେ  ପହଞ୍ଚିବାର ଦେଖି  ମା’ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣିଆଣିବା ସମୟରେ ସାପ ପ୍ରୀୟଦର୍ଶିନୀଙ୍କ ଡାହାଣ ହାତକୁ କାମୁଡି ଦେଇଥିଲା  । ସାପ କାମୁଡିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଯାଉଥିବା ରାସ୍ତାରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଖବର ଜଣାପଡିବା ପରେ ଦେଉଳବାଡ ଗାଁ ସମେତ ସମଗ୍ର ଦଶରଥପୁର ବ୍ଲକ ଅଞ୍ଚଳରେ ଘଟଣାଟି ଦୁଃଖଦ ପରିବେଶ ସୃଷ୍ଟି  କରିଛି। ମା’ ନିଜ ସନ୍ତାନ ପାଇଁ  ମୃତ୍ୟୁବରଣ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥାଏ ତାହା ପ୍ରୀୟଦର୍ଶିନୀ ପ୍ରମାଣ କରି ଦେଖାଇଛନ୍ତି ।

ଘଟଣା ଘଟିବା ପରେ ଘଟଣା ପଡୋଶୀ ସ୍ନେକ୍ ହେଲ୍ପଲାଇନ୍‌କୁ ଯୋଗାଯୋଗ କରିବା ପରେ ହେଲ୍ପଲାଇନ୍‌ର ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ସାପଟିକୁ ନେଇଯାଇଥିଲେ । ସୂଚନା ଥାଉକି ଚଳିତ ମାସ ୫ ତାରିଖ ସୋମବାର ପ୍ରୀୟଦର୍ଶିନୀଙ୍କ ଶାଶୁଘର ନିକଟରେ ଏକ ଇଟା ଭାଟି ନିକଟରେ ୭ ରୁ ୮ଟି ସାପ ଅଣ୍ଡାକୁ ଶାଶୁଘର ପରିବାର ଲୋକେ ଉକ୍ତ ସ୍ଥାନରୁ ବାହାର କରି ଅନ୍ୟତ୍ର ଫିଙ୍ଗି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.