ହକ୍‌ ପାଇଁ ସ୍ୱାମୀଙ୍କ ଘର ଆଗରେ ପୁଅକୁ ଧରି ଧାରଣାରେ ବସିଲେ ସ୍ତ୍ରୀ, ନେହୁରା ହୋଇ ବାଡେଇ ଚାଲିଲେ କବାଟ

ରାଇରଙ୍ଗପୁର : ହକ୍‌ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । କାନ୍ଦି କାନ୍ଦି ଶ୍ୱଶୁର ଘରେ ଟିକେ ସ୍ଥାନ ପାଇଁ ନେହୁରା ହୋଇ କବାଟ ବାଡେଇ ଚାଲିଲେ କିନ୍ତୁ କଠୋର ହୃଦୟ ଧାରୀ ସ୍ୱାମୀକୁ ଶୁଭିଲାନି ନିଜ ସ୍ତ୍ରୀର କାନ୍ଦ ଓ ଛୁଆର ଡାକ । ଏଭଳି ଏକ ସଂବେଦନଶୀଳ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡାମତଳିଆ ଗ୍ରାମରେ ! ସୂଚନାନୁଯାୟୀ ,ବଡାମତଳିଆ ଗ୍ରାମର ବିନୋଦ ପରିଡାଙ୍କ ପୁଅ ସିଦ୍ଧାର୍ଥ ପରିଡା ବାଲେଶ୍ୱର ମାଣିଖମ୍ବ ଗ୍ରାମର ବିଜୟ ରଣାଙ୍କ ଝିଅ ବିଦୁସ୍ମିତା ବିଶ୍ୱାଳ ୧୮ ଫେବୃଆରୀ ୨୦୧୪ରେ ବୈଦିକ ରୀତିନୀତିରେ ବିବାହ କରିଥିଲେ।

ବିବାହର କିଛି ମାସ ପର୍ଯ୍ୟନ୍ତ ହସ ଖୁସିରେ ଚାଲିଥିଲା ସିର୍ଦ୍ଧାନ୍ତ ଓ ବିଦୁସ୍ମିତାଙ୍କ ସଂସାର । କିନ୍ତୁ ଗର୍ଭବତୀ ହେବା ପରେ ଆରମ୍ଭ ହୋଇଯାଇଥିଲା ପରିବାର ଲୋକଙ୍କ ଦ୍ୱାରା ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ! ଯୌତୁକ ପାଇଁ ଭ୍ରୁଣ ନଷ୍ଟ ସହ ଘରୁ ତଡି ଦେବାର ଧମକ ପରେ ଭ୍ରୁଣର ସୁରକ୍ଷା ନେଇ ବାପ ଘରକୁ ଯାଇଥିଲେ ବିଦୁସ୍ମିତା । କିନ୍ତୁ ଛୁଆ ଜନ୍ମ ପରେ ମଧ୍ୟ ପରିବାର ଲୋକଙ୍କ ଦ୍ୱାରା ନିର୍ଯାତନା ନ କମିବା ପରେ ଦୁହେଁ ଅଲଗା ହୋଇ ଥିଲେ ! ବିଦୁସ୍ମିତା ଶାନ୍ତିରେ ସପରିବାର ସହ ରହିବା ନେଇ ଫାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ ସିଦ୍ଧାର୍ଥ ଆସନ୍ତା ୩ ମାର୍ଚ୍ଚରେ ଅନ୍ୟ ଏକ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ଖବର ପାଇ ବିଦୁସ୍ମିତା ନିଜ ଶଶୁର ଘରକୁ ଆସିଥିଲେ।ଶଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁନଥିବା ବେଳେ ବାଧ୍ୟ ହୋଇ ସ୍ୱାମୀ ଘର ସମ୍ମୁଖ୍ୟରେ ୩ ଦିନ ହେଲା ଦିନରାତି ଧାରଣାରେ ବସିଛନ୍ତି । ନିଷ୍ଠୁର ସ୍ୱାମୀ ଘରୁ ବହାରୁନଥିବା ବେଳେ ସ୍ତ୍ରୀଙ୍କ ୩ଦିନ ଧରି ଧାରଣାରେ ବସିବା ସ୍ଥାନୀୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗ୍ରାମାଞ୍ଚଳ ଥାନା ପୋଲିସର ବହୁ ବୁଝା ସୁଝା ପରେ ବିଦୁସ୍ମିତା ଧାରଣାରୁ ଉଠିଥିଲେ ଓ ପୋଲିସ ତାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ସହ ପୋଲିସ ଗାଡ଼ିରେ ଘରକୁ ପହଞ୍ଚିଥିବା ଜଣାପଡିଛି।

ଏହି ସଂଘର୍ଷ ଭିତରେ ବିବାହର ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ନିଜ ଓ ୬ ବର୍ଷ ଛୁଆର ଭବିଷ୍ୟତକୁ ଆଖି ଆଗରେ ରଖି ନିର୍ଯାତନା ସହି ମଧ୍ୟ ସ୍ୱାମୀଙ୍କ ବିରୁଦ୍ଧରେ କେବେ ଥାନାର ଦ୍ୱାରସ୍ଥ ହୋଇନଥିବା ବେଳେ ସ୍ୱାମୀ ସିଦ୍ଧାର୍ଥ ଘରକୁ ନ ଡାକିବା ଓ ଦ୍ଵିତୀୟ ବିବାହ କରିବା ନେଇ ପ୍ରସ୍ତୁତ ହେବା ଯୋଗୁଁ ଆଜି ଥାନାରେ ଏତଲା ଦେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.