ଭଦ୍ରକ ବାସୁଦେବପୁର ଉଚ୍ଚଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ତ , ନିଆଁରେ ପୋଡିହୋଇ ମହିଳା ଜୀବନ୍ତ ଦଗ୍ଧ

ବାସୁଦେବପୁ: ଭଦ୍ରକ ଜିଲ୍ଲା ବାସୁଦେବପୁର ମୁନସିପାଲଟି ଉଚ୍ଚଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ତ । ୪ଟି ପରିବାରର ୧୨ବଖରା ଘର ଭଷ୍ମୀଭୂତ । ଉକ୍ତ ନିଆଁରେ ଜୀବନ୍ତ ଦଗ୍ଧ ହେଲେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହଠାତ୍ କୌଣସି କାରଣ ବଶତଃ ଗାଁର ସୁରେନ୍ଦ୍ର ବାରିକଙ୍କ ଘରେ ନିଆଁ ଲାଗିବା ପରେ ଅନ୍ୟ ୩ ଘରକୁ ନିଆଁ ବ୍ୟାପିଯାଇଥିଲା। ସୁରେନ୍ଦ୍ରଙ୍କ ୪୦ ବର୍ଷିୟା ମାନସିକ ବିକାରଗ୍ରସ୍ତ ଭଉଣୀ କନକ ଘର ମାଟୁ ଉପରେ ଶୋଇଥିଲେ। ନିଆଁର ପ୍ରକୋପରେ କନକ ବାହାରିନପାରି ଉକ୍ତ ମାଟୁ ଉପରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲା।
ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟାକରି ବିଫଳ ହେବାରୁ ବାସୁଦେବପୁର ଦମକଳବାହିନୀକୁ ଖବର ଦିଆଯାଇଥିଲା । ବାସୁଦେବପୁର ଦମକଳ ଅନ୍ଯତ୍ର ନିଆଁ ଲିଭାଇବାକୁ ଯାଇଥିବାବେଳେ ଦମକଳ ଗାଡି ଆସିନଥିଲା। ପରେ ସୋରରୁ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ନିଆଁରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଏହି ବିପନ୍ନ ପରିବାର ହେଲେ ସୁରେନ୍ଦ୍ର ବାରିକ୍ ,ନିଶାକର ବାରିକ୍,ଗୌରାଙ୍ଗ ବାରିକ୍ ଓ ନରେନ୍ଦ୍ର ବାରିକ୍ ବୋଲି ଜଣାପଡିଛି।