ଭଙ୍ଗା ହ୍ୟୁମ୍ ପାଇପ୍‌ ଭିତରେ କଟୁଛି ବୃଦ୍ଧାଙ୍କ ଜୀବନ, ମିଛ ଅପପ୍ରଚାର ଯୋଗୁଁ ସମାଜରୁ ବାସନ୍ଦ କରିଛି ନିଜ ଜନ୍ମ କଲା ପୁଅ

ନବରଙ୍ଗପୁର: ଗାଁ ମୁଣ୍ଡରେ ଦୁଇଖଣ୍ଡ ହୋଇ ପଡ଼ିଛି ପାଣି ପାଇପ୍‌ । ସେଇ ହ୍ୟୁମ୍‌ ପାଇପ୍‌ ପାଲଟିଛି ଏଇ ବୟସ୍କ ମହିଳାଙ୍କ ଘର । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି ମାଳିଗୁଡା ଗ୍ରାମ ପରଜା ସାହି। ଯେଉଁଠି ଜଣେ ବୃଦ୍ଧା ଗାଁ ଭିତରେ ନିଜର ଘର ଥାଇ ବି ଏଭଳି ହିନସ୍ତା ରହୁଛନ୍ତି । ବୃଦ୍ଧା ଜଣଙ୍କ ହେଉଛନ୍ତି କମଳା ବିନ୍ଧାଣି । ତେବେ କମଳା ଏଭଳି ବାସନ୍ଦ ଜୀବନ ବିତାଇବା ପଛରେ ରହିଛି ଏକ ବଡ଼ କାହାଣୀ ।

ଗୋଟିଏ ଛୋଟ ଅପପ୍ରଚାର ଯୋଗୁଁ ସମାଜରୁ ବାସନ୍ଦ କଲା ନିଜ ଜନ୍ମ କଲା ପୁଅ । ସମାଜର ଚାପରେ ପର କରିଦେଲା ମା କୁ । ଅସହାୟ ମା କୁ ଖାଇବାକୁ ଭାତ ମୁଠେ ଦେଲା ନାହି କି ମୁଣ୍ଡ ଗୁଞ୍ଜିବାକୁ ଘରେ ଜାଗା ଦେଲା ନାହି । ବୃଦ୍ଧା ଜଣକ କୁଷ୍ଠ ରୋଗରେ ଆକ୍ରାନ୍ତ କହି ବିଦା କରିଦେଲେ । ଏବେ ସମସ୍ତଙ୍କ ଘୃଣାର ପାତ୍ର ହୋଇଛନ୍ତି କମଳା । ଶେଷରେ ଶୀତ କାକର ଓ ବର୍ଷା ମାଡରୁ ରକ୍ଷା ପାଇବାକୁ ରାସ୍ତା କଡ଼ରେ ଥିବା ପାଣି ପାଇପ୍ କୁ ନିଜର ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି ।

woman 1ତେବେ ପ୍ରକୃତ କଥା ହେଲା କମଳା ବିନ୍ଧାଣି କାଠ ଆଣିବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ରେ ଏକ କଣ୍ଟା ଫୁଟି ଗଲା । ଆଉ ଅବହେଳା ଯୋଗୁଁ ଗୋଡ଼ର ଆଙ୍ଗୁଠିଟି ବିକୃତ ହୋଇଗଲା । ଯାହାକୁ କୁଷ୍ଠ ରୋଗ ହୋଇଛି କହି ସମାଜ ଓ ପରିବାର ବାସନ୍ଦ କରିଛନ୍ତି । ନା ଡାକ୍ତର ପରୀକ୍ଷା କରିଛନ୍ତି ନା କେହି ଚିକିତ୍ସକ ଦେଖିଛନ୍ତି । ବିନା ପ୍ରମାଣପତ୍ରରେ କମଳାଙ୍କୁ ଘର ଓ ଗାଁ ଲୋକେ କୁଷ୍ଠରୋଗୀ ବୋଲି ଚିହ୍ନଟ କରିଦେଲେ । ତେଣେ ବିଚରା କମଳା ଆଉ କିଛି ଉପାୟ ନପାଇ ପାଇପ୍‌କୁ ଆଶ୍ରା କଲେ । ଅବଶ୍ୟ ପରିବାର ଲୋକେ କମଳାଙ୍କୁ ତାଙ୍କ ବିପିଏଲ୍‌ କାର୍ଡ଼ଟି ଦେଇଛନ୍ତି । ସେଇଥିରେ ଚଳୁଛନ୍ତି ସେ ।

ଏ ସମ୍ପର୍କରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ କେ ନ୍ୟୁଜ୍‌ ତରଫରୁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି ଫାଲଗୁନୀ ପାତ୍ର । ବିଧାୟକ ତୁରନ୍ତ କମଳାଙ୍କର ଥଇଥାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ କଥା ଏତିକିରେ ସରୁ ନାହିଁ । କଥା ଅଟକିଛି ଅନ୍ଧବିଶ୍ୱାସ ଓ ଅବୁଝାପଣ ଠାରେ । ଯାହା ଗାଁ ଲୋକ ଓ ପରିବାର ଲୋକ ବୁଝିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.