ଆସନ୍ତାକାଲି ହେବ ଦୁନିଆର ପ୍ରଥମ କରୋନା ଭ୍ୟାକସିନର ପଞ୍ଜୀକରଣ, ଜାଣନ୍ତୁ କେମିତି ପାଇବେ

କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିଶ୍ୱର ସମସ୍ତ ବୈଜ୍ଞାନିକମାନେ ଟିକା ବିକାଶରେ ଲାଗିଥିବା ବେଳେ ବିଶ୍ୱର ପ୍ରଥମ କରୋନା ଟିକା ଆଣିବାକୁ ଯାଉଛି ରୁଷ । ଚଳିତମାସ ୧୨ ତାରିଖରେ ରୁଷ ଏହି ଟିକାର ପଞ୍ଜିକରଣ କରାଇବ । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ ଏହି ଟିକା ଉପରେ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛି ଯେ ରୁଷ ଟିକା ସହ ଜଡ଼ିତ କୌଣସି ସରକାରୀ ତଥ୍ୟ ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ତେଣୁ ଏହାର ସୁରକ୍ଷା ଉପରେ ଡବ୍ଲ୍ୟୁଏଚ୍ଓ ପ୍ରଶ୍ନ ଉଠାଇପାରେ ବୋଲି ଆଶଙ୍କା କରାଯାଉଛି । ବିଶ୍ୱରେ ୧୭୭ କରୋନା ଭ୍ୟାକ୍ସିନ୍ର ପ୍ରସ୍ତୁତି ଚାଲିଛି । ସେଥି ମଧ୍ୟରୁ ୧୩୫ ଭ୍ୟାକ୍ସିନ୍ର ଟ୍ରାଏଲ୍ ପଶୁଙ୍କ ଉପରେ ହୋଇ ସାରିଛି । ୨୩ ଭ୍ୟାକ୍ସିନ୍ର ହ୍ୟୁମ୍ୟାନ୍ ଟ୍ରାଏଲ ଚାଲିଥିବା ବେଳେ ୧୪ ଭ୍ୟାକ୍ସିନ୍ ପ୍ରଥମ ଫେଜରେ ପଦାର୍ପଣ କରିଛି । ୩ଟି ଭ୍ୟାକ୍ସିନ୍ ୨ୟ ଫେଜ ଓ ୬ ଟି ଭ୍ୟାକ୍ସିନ୍ ୩ୟ ଫେଜ୍ ପରୀକ୍ଷଣରେ ପହଞ୍ଚିଛି ।

ସୂଚନା ମୁତାବକ, ରୁଷ ଟିକା ହେଉଛି ଏକ ଆଡେନୋଭାଇରସ ଭିତ୍ତିକ ଭାଇରାଲ୍ ଭେକ୍ଟର ଟିକା । ଏଥିରେ କରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିକ୍କୁ ସାମିଲ କରାଯାଇଛି, ଏହାଦ୍ଦ୍ୱାରା ଏହା ଶରୀରରେ ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି କରିପାରିବ । ଋୁଷ ଏହାର କ୍ଲିନିକାଲ ଟ୍ରାଏଲରେ ୧୦୦ ପ୍ରତିଶତ ସଫଳତା ହାସଲ କରିଛି ବୋଲି ଦାବି କରିଛି।

corona

ଅନ୍ୟପକ୍ଷରେ ଆମେରିକାର ଦଳେ ଗବେଷକ ‘ନୂଆ ପିଢ଼ି’ର ଚିକିତ୍ସା ପଦ୍ଧତି ବାହାର କରିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି । ସେମାନେ ଦାବି କରିଛନ୍ତି ଯେ ଏହି ନୂଆ ପିଢ଼ିର ଅନୁସନ୍ଧାନ ଉଭୟ ଟିକା ଓ ଔଷଧ ଭଳି କାମ ଦେବ। ଅର୍ଥାତ୍ ସଂକ୍ରମଣ ହୋଇଥିଲେ, ଏହା ରୋଗୀଙ୍କୁ ସୁସ୍ଥ ହେବାରେ ସହାୟତା କରିବ ଏବଂ ସୁସ୍ଥ ଲୋକଙ୍କୁ କରୋନା କବଳରୁ ସୁରକ୍ଷା ଯୋଗାଇବ । ଯଦି ଏହି ଥେରାପି ମଣିଷଙ୍କ ଉପରେ ସଫଳ ହୁଏ, ତେବେ ୨୦୨୧ ବର୍ଷ ଆରମ୍ଭ ବେଳକୁ ଏହାର ପ୍ରସ୍ତୁତି ଶେଷ ହେବ । ଏହି ଥେରାପି ଉପଲବ୍ଧ ହେବା ପରେ ଲୋକଙ୍କୁ ଆଉ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ନାହିଁ । ସେମାନେ ପୂର୍ବ ଭଳି ସ୍ୱାଧୀନ ଭାବେ ବୁଲାବୁଲି କରିପାରିବେ । ଏହି ସାର୍ସ-ଅବରୋଧ (ସାର୍ସ-ବ୍ଲକ୍) ଥେରାପିକୁ ଆମେରିକାରେ ବିକାଶ କରାଯାଉଛି ।

ଏହା ଉପରେ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ବିଶେଷଜ୍ଞମାନେ ଅଧ୍ୟୟନ କରୁଛନ୍ତି । ଏ ପର୍ଯ୍ୟନ୍ତ ଜଣାପଡ଼ି ଯାଇଛି ଯେ ଏହା ୯୫-୧୦୦% ପର୍ଯ୍ୟନ୍ତ ଭୂତାଣୁକୁ ଶରୀର ମଧ୍ୟରେ ପ୍ରବେଶକୁ ରୋକିପାରିବ । ଏହା ଉପଲବ୍ଧ ହେବା ପରେ ଟିକାର ଆବଶ୍ୟକତା ଆଉ ପଡ଼ିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.