Below header

ସ୍ୱାମୀଙ୍କ ଦଶାହ କରିବାକୁ ପାଖରେ ନଥିଲା କାଣିକଉଡ଼ିଟିଏ, ଘର ଘର ବୁଲି ଚାନ୍ଦା ଆଦାୟ କରି ସାହାଯ୍ୟ କଲେ ଗାଁ ମହିଳା ସଂଘ

ରେଢ଼ାଖୋଲ(କେ ନ୍ୟୁଜ): କୋରୋନା କାଳରେ ମାନବିକତା ଦେଖାଇଲେ ମହିଳା ସଂଘ । ସ୍ୱାମୀଙ୍କ ମୃତ୍ୟୁ ପରେ ଦଶାହ କାର୍ଯ୍ୟ କରିବା ପାଇଁ କାଣିକଉଡ଼ିଟିଏ ନଥିବା ଜଣେ ଅସହାୟ ମହିଳାଙ୍କୁ ସାହା ହେଲେ ଗାଁ ମହିଳାସଂଘ । ଗାଁସାରା ବୁଲିବୁଲି ଜଣଙ୍କ ପିଛା ଅଧା କେଜି ଚାଉଳ ସମେତ ୧୦ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରାଯାଇ ଅସହାୟ ମହିଳାଙ୍କୁ ପ୍ରଦାନ କରାଯାଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରେଢାଖୋଲ ଏନଏଏସିର ୨ ନମ୍ବର ୱାର୍ଡର ସୁଣ୍ଡିମୁଣ୍ଡା ଗାଁରେ । ୬୫ ବର୍ଷୀୟ ବୃଦ୍ଧ ଶବର ରାଜହଂସ ଅସୁସ୍ଥ ହୋଇପଡିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ବାସନ୍ତୀ ରାଜହଂସ ପୁରାପୁରି ଏକୁଟିଆ ହୋଇଯାଇଥିଲେ ।

ସାହା ଭରସା ବୋଲି କେହି ବି ନଥିଲେ । ତାଙ୍କର ଗୋଟିଏ ପୁଅ ଦାଦନ ଖଟିବାକୁ ରାଜ୍ୟ ବାହାର ରାଜ୍ୟକୁ ଯାଇଥିବାରୁ ଲକଡାଉନ ପାଇଁ ଏଠାକୁ ଆସି ପାରିନଥିଲେ । ଏପଟେ ଗରିବ ବାସନ୍ତୀଙ୍କ ସ୍ୱାମୀଙ୍କ ମୃତ୍ୟୁକୁ କୋରନା ମୃତ୍ୟୁ ବୋଲି ସନ୍ଦେହ କରି ବନ୍ଧୁବାନ୍ଧବ, ପଡ଼ୋଶୀ କେହି ବି ପାଖ ମାଡିନଥିଲେ । ଶେଷରେ ପ୍ରଶାସନର ସହାୟତାରେ ୧୫ ଘଣ୍ଟା ପରେ ମୃତଦେହ ସତ୍କାର କରାଯାଇଛି ।

ସ୍ୱାମୀଙ୍କ ଦଶାହ କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିବାରୁ ସୁଣ୍ଡିମୁଣ୍ଡା ଲକ୍ଷ୍ମୀନାରାୟଣ ମହାସଂଘ ସଭ୍ୟ ମହିଳାମାନେ ଏକତ୍ର ହୋଇ ଚାଉଳ, ଟଙ୍କା ଚାନ୍ଦା କରି ବାସନ୍ତୀକୁ ପ୍ରଦାନ କରିଛନ୍ତି ବୋଲି ମହିଳା ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.