ଗାନ୍ଧୀ ଜୟନ୍ତୀ ଠାରୁ କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ କବି କୁମ୍ଭ ମେଳା, ଓଡିଶାକୁ ଆସିବେ ବିଶ୍ବସ୍ତରର କବି

ଭୁବନେଶ୍ବର(କେନ୍ୟୁଜ୍):   ଆସନ୍ତା ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଛି ବିଶ୍ୱ କବି କୁମ୍ଭ ମେଳା । ଭାରତରେ ତୃତୀୟ ଥର ପାଇଁ ଏହି ୩୯ ତମ ବିଶ୍ୱ କବି କୁମ୍ଭ ମେଳା ହେବାକୁ ଯାଉଛି । ୧୯୮୬ରେ ସେତେବେଳର ମାଡ୍ରାସରେ ହୋଇଥିବା ବେଳେ ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କିଟ୍‌ ବିଶ୍ୱିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୩୯ ତମ ବିଶ୍ୱ କବି କୁମ୍ଭ ମେଳାର ସଭାପତି ଅଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ଏହି କୁମ୍ଭ ମେଳାରେ ୮୨ଟି ଦେଶରୁ ପ୍ରତିଷ୍ଠିତ କବି ଯୋଗଦେବେ ।

WORLD POETRY-1

ଭାରତ ସମେତ ସାରା ବିଶ୍ୱର ୫ଟି ମହାଦେଶରୁ ଏକ ହଜାର କବି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୫ ଶହ କବି ଓ ଲେଖକ ମଧ୍ୟ ସାମିଲ ହେବେ । ଇଂରାଜୀ, ସ୍ପାନିସ୍‌, ଚାଇନିଜ୍‌ ଓ ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମ ହେବ । ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । କିଟ୍‌ କନ୍‌ଭେନ୍‌ସନ୍‌ ସେଣ୍ଟରରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର କଲ୍‌ଚରାଲ ରିଲେସନ୍‌ର ଡାଇରେକ୍ଟର ଜେନେରାଲ ଅଖିଳେଶ ମିଶ୍ର ପ୍ରମୁଖ ଯୋଗଦେବେ ।

ସେହିପରି ୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ଶ୍ୟାମ ଯାଜୁ ଯୋଗଦେବେ । ୪ ତାରିଖରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏହି କାର୍ଯ୍ୟକ୍ରମ ହେବ । କୋଣାର୍କ ଉପରେ ଏଥିରେ ଆଲୋଚନା ହେବ ।

ସେହିପରି ୫ ତାରିଖରେ ପୁରୀ ସମୁଦ୍ର କୂଳରେ ହେବାକୁ ଥିବା କାର୍ଯ୍ୟକ୍ରମରେ କବିମାନେ ଯୋଗଦେବେ । ଉଦ୍‌ଯାପନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କିଟ୍‌ ୟୁନିଭରସିଟି ବିଶ୍ୱ କବି କୁମ୍ଭ ମେଳା ଆୟୋଜନ ହେବା ରାଜ୍ୟ ପାଇଁ ଗୌରବର ବିଷୟ ।

ଏଠାକୁ ଆସିବାକୁ ଥିବା କବିମାନେ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ବିଷୟରେ ଜାଣିପାରିବେ । ଏହା ଦ୍ୱାରା ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପରମ୍ପରା ଓ ପର୍ଯ୍ୟଟନ କେବଳ ଦେଶରେ ନୁହଁ ସାରା ବିଶ୍ୱରେ ଆଗକୁ ବଢିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.