‘ମୁଁ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି’ ଏଭଳି ଲେଖି କୋଭିଡ୍ କେୟାର ସେଣ୍ଟରରେ ଯୁବକ କଲେ ଆତ୍ମହତ୍ୟା

ବାଲିଗୁଡ଼ା (କେ ନ୍ୟୁଜ୍‌) : ଡିପ୍ରେସନ୍ କିଭଳି ଭାବେ ଜୀବନ ନେଉଛି କାର ଉଦାହରଣ ଆପଣମାନେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାରୁ ଜାଣି ସାରିଛନ୍ତି । ଏବେ ସେହିଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ । ଏଠାକାର ବଡ଼ଗାଁ କୋଭିଡ୍ କେୟାର ସେଣ୍ଟରରେ ଥିବା ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେ ରହୁଥିବା କୋଠରୀରେ ଦଉଡ଼ି ଲଗାଇ ଝୁଲି ପଡ଼ିଛନ୍ତି । ଆଉ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି ‘‘ମୁଁ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି’’ ।
ଯୁବକ ଜଣକ ହେଉଛନ୍ତି ତୁମୁଡିବନ୍ଧ ବ୍ଲକ ବୁଦୁଲିପଦର ଗାଁର ପଚିଶି ବର୍ଷ ବୟସ୍କ ଶଙ୍କୁନ ମାଝୀ । ଆଜି ଭୋର ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗତ କିଛି ଦିନ ହେବ ସେ ଡିପ୍ରେସନରେ ଥିଲେ । ଆତ୍ମହତ୍ୟା କରିଥିବା ତାଙ୍କ ରୁମରୁ ସୁଇସାଇଡାଲ ନୋଟ୍‌କୁ ଜବତ କରିଛି ପୋଲିସ ।
ଛଅ ମାସ ତଳେ ହାଇଦ୍ରାବାଦକୁ କାମ କରିବା ପାଇଁ ଯାଇ ଫେରିବା ପରେ ଶଙ୍କୁନ କୁର୍ତମଗଡର ସଙ୍ଘରୋଧ କେନ୍ଦ୍ରରେ ରହିଥିଲେ । ଚଉଦ ଦିନ ସଙ୍ଘରୋଧ ପରେ ଘରକୁ ଯାଇଥିଲେ ଯୁବକ । ଘରେ କୋଭିଡ ଲକ୍ଷଣ ବୃଦ୍ଧି ଦେଖି ତାଙ୍କୁ ଗତ ୧୬ ତାରିଖ ଦିନ ବଡ଼ଗାଁ କୋଭିଡ କେୟାର ସେଣ୍ଟରକୁ ଅଣାଯାଇଥିଲା । ତେବେ ଆଜି ଭୋର ସମୟରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା ।
ଶଙ୍କୁନ ଡିପ୍ରେସନରୁ ଆତ୍ମହତ୍ୟା କରିଥିବା ନେଇ ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ସୂଚନା ଦେଇଛନ୍ତି । ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ରିପୋର୍ଟ ଆସିନାହିଁ । ତେଣୁ ଅତି ସତର୍କତାର ସହ ଶବ ବ୍ୟବଚ୍ଛେଦ କରାଯାଇଛି ।କରୋନା ସଂକ୍ରମଣକୁ ଆଖିରେ ରଖି ସଂପୃକ୍ତ ଅଞ୍ଚଳର ସୁରକ୍ଷା ନିମନ୍ତେ ପ୍ରଶାସନ ଉପସ୍ଥିତରେ ପରିବାର ଲୋକଙ୍କ ସହ ଆଲୋଚନା କରାଯିବ । ଏହା ପରେ ଶବ ଦାହ କରାଯିବ ବୋଲି ବାଲିଗୁଡା ଉପଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.