ଲାଇନ୍ କାଟିଲେ ହାଣିଦେବି! ବକେୟା ବିଦ୍ୟୁତ ବିଲ୍ ମାଗିବାରୁ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଡରାଇଲେ ଯୁବକ

ଉଦଳା(କେନ୍ୟୁଜ୍):  ବିଦ୍ୟୁତ୍ ବିଲ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ବକେୟା ବିଲ୍‌ ଦେବା ବଦଳରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଭୁଜାଲିରେ ହାଣିଦେବାର ଧମକ ଦେଲେ ଯୁବକ । ଗାଁ ଦାଣ୍ଡରେ ହାତରେ ଭୁଜାଲି ଧରି ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ହାଣିଦେବାର ଧମକ ଦେବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓଟି ଉଦଳା ବିଦ୍ୟୁତ୍ ଡିଭିଜନ ଜୁଆଳିଆ ଗ୍ରାମର ବୋଲି ଜଣାଯାଇଛି । ଗତକାଲି ବିଦ୍ୟୁତ୍  ବିଭାଗର ଜେଇ ଏବଂ କର୍ମଚାରୀ ବିଲ୍‌ ଆଦାୟ କରିବା ନିମନ୍ତେ ଜୁଆଳିଆ ଗ୍ରାମକୁ ଯାଇଥିଲେ ।

ସେଠାରେ ଜଣେ ହିତାଧିକାରୀଙ୍କ ୬ ହଜାର ଟଙ୍କା ବିଦ୍ୟୁତ୍ ବିଲ୍‌ ବାକି ରହିଥିବା ବେଳେ ତାଙ୍କୁ ବିଦ୍ୟୁତ୍ ବିଲ୍‌ ଦେବାକୁ କହିଥିଲେ ବିଭାଗୀୟ କର୍ମଚାରୀ । ହେଲେ ହିତାଧିକାରୀ ବିଲ୍‌ ଦେବାକୁ ମନା କରିଥିଲେ । ବିଲ୍‌ ନ ଦେଲେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ବୋଲି କହିବା ପରେ ହଠାତ୍ ହିତାଧିକାରୀଙ୍କ ପୁଅ ହାତରେ ଏକ ଭୁଜାଲି ଧରି ଗାଁ ଦାଣ୍ଡକୁ ବାହାରି ଆସି ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଧମକାଇଥିଲେ । ବିଦ୍ୟୁତ୍  କାଟ କରିଲେ ହାଣିଦେବେ ବୋଲି କହିବା ସହିତ ଉଭୟ ଜେଇ ଏବଂ କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଗାଁ ଦାଣ୍ଡରେ ଏଭଳି ହାଇଡ୍ରାମା ଚାଲିଥିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଏବଂ ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ସେଠାରୁ ଚାଲି ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.