ମୋବାଇଲ ପରେ ଏବେ ଡ୍ରୋନ୍‌ ଲଞ୍ଚ୍‌ କରିବ Apple, ପ୍ୟାଟେଣ୍ଟକୁ ମିଳିଲା ମଞ୍ଜୁରୀ

ମୋବାଇଲ ପରେ ଆପଲ ଏବେ କାର୍‌ ଲଞ୍ଚ୍‌ କରିବ ବୋଲି ଶୁଣିବାକୁ ମିଳୁଛି। କମ୍ପାନୀ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଆପଲ କମ୍ପାନୀର କାର ରାସ୍ତାରେ ଚାଲିବ ବୋଲି ଚର୍ଚ୍ଚା ହେଉଛି। ତେବେ ଇତି ମଧ୍ୟରେ ଆପଲ କମ୍ପାନୀର ଆଉ ଏକ ଗ୍ୟାଜେଟ୍‌ ମାର୍କେଟକୁ ଆସିବାକୁ ପ୍ରସ୍ତୁତ ହୋଇଛି। ଖବର ଆସୁଛି ଯେ ଆମେରିକୀୟ କମ୍ପାନୀ ଆପଲ ଏବେ ଡ୍ରୋନ୍‌ ଉପରେ କାମ ଚଳାଇଛି। କମ୍ପାନୀର ଡ୍ରୋନ୍‌ ଖୁବ୍‌ ଶୀଘ୍ର ବଜାର ପ୍ରବେଶ କରିବ।

ରିପୋର୍ଟ ମୁତାବକ, ଗତ ବର୍ଷ ମେ’ରେ ଆପଲ ସିଙ୍ଗାପୁରରେ ପ୍ୟାଟେଣ୍ଟସ୍‌ ଫାଇଲ୍‌ କରିଥିଲା। ଆମେରିକାରେ ଏଥିପାଇଁ କମ୍ପାନୀ ପକ୍ଷରୁ ଏପ୍ରିଲରେ ପ୍ୟାଟେଣ୍ଟସ୍‌ ଫାଇଲ କରାଯାଇଥିଲା। ତେବେ ଏହି ନଭେମ୍ବର ୧୧ରେ ଆପଲ କମ୍ପାନୀକୁ ପ୍ୟାଟେଣ୍ଟସ୍‌ ମିଳିଥିବା ଜଣାଯାଇଛି।

ବିଜନେସ୍‌ ଇନ୍‌ସାଇଡରର ରିପୋର୍ଟରେ କୁହାଯାଇଛି ଯେ ଆମେରିକୀୟ ପ୍ୟାଟେଣ୍ଟ ଓ ଟ୍ରେଡମାର୍କ ଅଫିସ ଆପଲର ଅନ୍‌ମେନ୍‌ଡ ଏରିୟଲ ଭେଇକଲ (UAV) ପାଇଁ ଦୁଇଟି ପ୍ୟାଟେଣ୍ଟ ଆପ୍ଲିକେସନ୍‌ ପବ୍ଲିସ୍‌ କରିଛନ୍ତି। ଏହି ଆପ୍ଲିକେସନ୍‌ରୁ ହିଁ ଆପଲର ଡ୍ରୋନ୍‌ ବିଷୟରେ ସୂଚନା ମିଳିଛି।

ତେବେ ଆପଲର ଏହି ଡ୍ରୋନ୍‌ ପ୍ରୋଜେକ୍ଟର ଭବିଷ୍ୟତ କ’ଣ ସେ ନେଇ ଏବେ ଠୁ କିଛି କୁହାଯାଇପାରିବ ନାହିଁ। କାରଣ କମ୍ପାନୀ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଏଣୁ ଏହି ପ୍ରଡକ୍ଟର ଦାମ୍‌ ଓ ଫିଚର ବିଷୟରେ କିଛି ଜଣାପଡ଼ିନାହିଁ। କିନ୍ତୁ କୁହାଯାଉଛି ଯେ ଆପଲର ଏହି ଡ୍ରୋନ୍‌ କିଛି ନୂଆ ତଥା ଅତ୍ୟାଧୁନିକ ଫିଚର ସହ ଆସୁଛି, ଯାହା ୟୁଜର୍ସଙ୍କୁ ନୂଆ ଅନୁଭବ ଦେବ। କୁହାଯାଉଛି ଯେ ଏହି ଡ୍ରୋନ୍‌ କ୍ୟାମେରାର କ୍ଷମତା ବେଶ୍‌ ଅଧିକ ରହିବ, ଯାହା ବଢ଼ିଆ କ୍ଲାରିଟିର ଫଟୋ ଓ ଭିଡିଓ ଉତ୍ତୋଳନରେ ସାହାଯ୍ୟ କରିବ। ତେବେ ମାର୍କେଟ୍‌କୁ ଆସିବା ପରେ ହିଁ ଜଣାପଡ଼ିବ ଯେ ଏହି ଡ୍ରୋନ୍‌ ଲୋକଙ୍କୁ କେତେ ପସନ୍ଦ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.