ସେପ୍ଟେମ୍ବର ୫ରୁ ଆରମ୍ଭ ହେବ ଜିଓ ଫାଇବର ପ୍ଲାନ୍‌, ଘୋଷଣା କଲେ ମୁକେଶ ଅମ୍ବାନୀ

ରିଲାଏନ୍‌ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା। ସେପ୍ଟେମ୍ବର ୫ତାରିଖରୁ ଆରମ୍ଭ ହେବ ଜିଓ ଫାଇବର ପ୍ଲାନ୍‌। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ବାର୍ଷିକ ଜେନେରାଲ ମିଟିଂରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ସର୍ବନିମ୍ନ ୭ଶହ ଟଙ୍କାରେ ଶହେ ଏମ୍‌ବିପିଏସ୍‌ ସ୍ପିଡର ଡାଟା ଏଥିରେ ଉପଲବ୍ଧ ହେବ। ଟପ୍‌ ଅପ୍‌ ଲାଇନ ପ୍ୟାକେଜର ସର୍ବାଧିକ ମୂଲ୍ୟ ୧୦ ହଜାର ଟଙ୍କା ରହିଛି। ସମସ୍ତ ବ୍ରଡବ୍ୟାଣ୍ଡ, ଫିକ୍ସଡ ଲାଇନ, ଜିଓ ହୋମ୍‌ ଟିଭି ଓ ଜିଓ ଆଓଟି ସର୍ଭିସରେ ଏହି ପ୍ଲାନ ଲାଗୁ ହୋଇପାରିବ। ଏହି ପ୍ଲାନରେ ଭଏସ କଲିଂ ମାଗଣା। ପୂର୍ବ ଅପେକ୍ଷା ଆଇଏସଡି କଲ୍‌ ବର୍ତ୍ତମାନର ଦରଠାରୁ ବହୁତ କମ୍‌ ରହିବ। ମାସିକ ୫ଶହ ଟଙ୍କାରେ ଆମେରିକା ଓ କାନାଡାକୁ ଅନ୍‌ଲିମିଟେଡ କଲ୍‌ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ।

ଏହି ପ୍ଲାନରେ ନେଟୱାର୍କ ସ୍ପିଡ ଶହେ ଏମ୍‌ବିପିଏସ୍‌ରୁ ଏକ ଜିବିପିଏସ୍‌ ମଧ୍ୟରେ ରହିବ। ଡିଜିଟାଲ ଟିଭିଠାରୁ କ୍ଲାଡ୍‌ ଗେମିଂ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ। ପ୍ରତି ମାସରେ କୋଟିଏ ଲୋକ ଏହି ପ୍ଲାନରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି କମ୍ପାନୀ। ଦେଶର ୧୬ଶହ ସହରର ଦେଢ କୋଟି ଲୋକ ଏହି ପ୍ଲାନ ପାଇଁ ଆଗ୍ରହ ରଖିଛନ୍ତି। ଉପକୃତ ହେବେ ୨କୋଟି ଘର ଓ ଦେଢ କୋଟି ବାଣିଜ୍ୟିକ ସଂଗଠନ। ତେବେ ଆମେରିକାରେ ଇଣ୍ଟରନେଟ୍‌ ସ୍ପିଡ ହାରାହାରି ୯୦ ଏମ୍‌ବିପିଏସ୍‌ ଥିବା ବେଳେ ଏହି ପ୍ଲାନ୍‌ରେ ଅଧିକ ସ୍ପିଡ୍‌ ଉପଲବ୍ଧ ହେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। ଗତ ବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ସ୍କିମ ବାବଦରେ ସେ ଘୋଷଣା କରିଥିଲେ।