‘୧୯ ନିର୍ବାଚନ ପାଇଁ କଂଗ୍ରେସର ୧୯ଟି ପ୍ରତିଶୃତି

ଭୁବନେଶ୍ବର (କେନ୍ୟୁଜ୍) : ୧୯ ପାଇଁ କଂଗ୍ରେସର ୧୯ଟି ପ୍ରତିଶୃତି । ଆଜି ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ଓଡ଼ିଶା କଂଗ୍ରେସ । ଫୋକସରେ ରହିଛି ନିଯୁକ୍ତି ସୃଷ୍ଟି ଓ ଗରିବଙ୍କୁ ପ୍ରୋତ୍ସାହନ। କଂଗ୍ରେସ ଇସ୍ତାହାରରେ ଘୋଷଣା କରିଛି, କ୍ଷମତାକୁ ଆସିଲେ ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ପ୍ରଦାନ କରାଯିବ ୭୨ହଜାର ଟଙ୍କା। ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ। ପ୍ରତ୍ୟେକ ପରିବାରକୁ ଜଣଙ୍କୁ ଦିଆଯିବ ଚାକିରି। ୨୦୨୪ ସୁଦ୍ଧା ଘର ନଥିବା ପରିବାରକୁ ଘର ଦିଆଯିବ। ଚାଷୀଙ୍କ ପାଇଁ ବି ପ୍ୟାକେଜ୍ ଘୋଷଣା କରିଛି କଂଗ୍ରେସ।

ସରକାରକୁ ଆସିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କାକୁ ବୃଦ୍ଧି ପାଇଁ ଇସ୍ତାହାରରେ ଘୋଷଣା କରାଯାଇଛି। ଚାଷୀଙ୍କୁ ମାଗଣାରେ ସୋଲାର ପମ୍ପ ଯୋଗାଇ ଦେବାକୁ କହିଛି। ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ୍ ଛାଡ ଓ ମହିଳା ଚାଷୀଙ୍କ ପାଇଁ ଚାଷ ଉପକରଣ ମାଗଣାରେ ଦିଆଯିବ। ଚାଷୀଙ୍କୁ ୧୦ହଜାର ଟଙ୍କା ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ଏହାବ୍ୟତୀତ ସାମାଜିକ ସୁରକ୍ଷା ପାଇଁ ବରିଷ୍ଠ ନାଗରିକଙ୍କୁ ସରକାରକୁ ଆସିଲେ କଂଗ୍ରେସ ମାସିକ ୧୫୦୦ଟଙ୍କା ଦେବାକୁ ଘୋଷଣା କରିଛି। ପ୍ରତିଶ୍ରୁତି ଦେଇଛି, ଚୁକ୍ତିଭିତ୍ତିକ ଚାକିରି ସ୍ଥାୟୀ କରାଯିବ। ଆଦିବାସୀଙ୍କ ଅଧିକାର ଓ ତଟୀୟ ନିୟନ୍ତ୍ରଣ ପାଇଁ ପ୍ରତିଶୃତି ଦେଇଛି କଂଗ୍ରେସ। ୨୦୨୪ ସୁଦ୍ଧା ସବୁ ଘରକୁ ପହଞ୍ଚିବ ଶୁଦ୍ଧ ପାନୀୟ ଜଳ। କଂଗ୍ରେସ ପ୍ରତିଶ୍ରୁତି ଦେଇଛି ସରକାର ଗଠନର ୬ ମାସ ମଧ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ।

ନିଶାମୁକ୍ତ ଓଡ଼ିଶା, ସାର୍ବଜନୀନ ଖାଦ୍ୟ ସୁରକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟସେବା ଓ ଦଳିତଙ୍କ ଅଧିକାର କଂଗ୍ରେସର ଲକ୍ଷ୍ୟ ବୋଲି ଇସ୍ତହାରପତ୍ରରେ ଦର୍ଶାଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା, ଅଧିକ ମନରେଗା ପାରିଶ୍ରମିକ, ସ୍ମାର୍ଟ SME ଓ କଳାତ୍ମକ ଉଦ୍ୟୋଗ ଏବଂ ଶିକ୍ଷାର ଅଧିକାରକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବଢାଯିବ ବୋଲି କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି।

Leave A Reply

Your email address will not be published.