ପ୍ରଚାର ପାଇଁ ହେଭିୱେଟଙ୍କୁ ନାହିଁ ଫୁରସତ : ପୁଣି କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ସେପଟେ ରାହୁଲ ଛାଡ଼ିଲେ ରାଫେଲ ବାଣ, ପ୍ରିୟଙ୍କା କହିଲେ ମୋଦିଙ୍କୁ ମିଛୁଆ

ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନ କମ୍ପୁଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଗୋଟିଏପଟେ ମୋଦି ଆତଙ୍କବାଦୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ରାହୁଲ ପୁଣି ରାଫେଲ ବାଣ ମାରିଛନ୍ତି । ସେପଟେ ଭାଇଙ୍କ ନିର୍ବାଚନ ମଣ୍ଡଳୀରେ ମୋଦିଙ୍କୁ ମିଛୁଆ କହିଛନ୍ତି ପ୍ରିୟଙ୍କା ।

ପ୍ରଚାର ମଇଦାନ ସରଗରମ । ଆସନ୍ତକାଲି ସଂଧ୍ୟାରେ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ସରିବ କ୍ୟାମ୍ପେନ । ବିଜେପି ପାଇଁ ବିହାର ଓ ୟୁପିରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାର ଆରିୟା ସାଧାରଣ ସଭାରେ କଂଗ୍ରେସ ଓ ମହାମେଣ୍ଟକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଏନଡିଏ ସରକାର ଅମଳରେ ଆତଙ୍କବାଦୀଙ୍କୁ ଘରେ ପଶି ମରାଯାଇଛି । ଏହି ଖବର ଶୁଣି କଂଗ୍ରେସର କିଛି ନେତାଙ୍କ ଆଖିରେ ଲୁହ ଆସିଯାଉଛି । ସେହିପରି ୟୁପିର ଇଟାୱାରେ ବୁଆ-ବବୁଆ ଯୋଡିଙ୍କୁ ଆକ୍ଷେପ କରିଛନ୍ତି ମୋଦି ।

ସେପଟେ ମୋଦିଙ୍କୁ ମଧ୍ୟ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବିହାର ସୁକୁଲରେ ପୁଣି ରାଫେଲ ବାଣ ମାରିଛନ୍ତି । କହିଛନ୍ତି ମୋଦି ଅନୀଲ ଅମ୍ବାନୀଙ୍କ ଚୌକିଦାର । ହେଲେ ବିହାରବାସୀ ପ୍ରକୃତ ଚୌକିଦାର ବୋଲି କହି ମୋଦିଙ୍କୁ ଚେତାଇ ଦେଇଛନ୍ତି । ସେହିପରି ମୋଦିଙ୍କ ଗଡ ଗୁଜୁରାଟର ତାପିରେ ଏନଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।
ସେପଟେ ରଣହୁଙ୍କାର ଦେଇଛନ୍ତି ପ୍ରିୟଙ୍କା । କେରଳରେ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ।

ଓ୍ଵାଇନାଡରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦି ଦେଶବାସୀଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । ଓ୍ଵାଇନାଡରେ ଆସନ୍ତା ୨୩ ତାରିଖରେ ମତାଦାନ ହେବ । ଏଥର ରାହୁଳ ଉଭୟ ଆମେଥୀ ଓ ଓ୍ଵାଇନାଡରୁ ଲଢୁଛନ୍ତି । ତୃତୀୟ ପର‌୍ୟ୍ୟାୟ ନିର୍ବାଚନରେ ୧୧୬ଟି ଲୋକସଭା ଆସନ ପାଇଁ ଭୋଟ ନିଆଯିବ । ଏହି ପର‌୍ୟ୍ୟାୟର ମତଦାତାଙ୍କୁ ଆକୃଷ୍ଟ କରିବାକୁ ନିଜ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରିବାକୁ ଉଦ୍ୟମ କରିଛନ୍ତି ରାଜନେତା ।

Leave A Reply

Your email address will not be published.