ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜବାଜ, ଫୋକସରେ ପ୍ରଶାସକ ରୁ ପଲିଟିସିଆନ୍

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ହାଇପ୍ରୋଫାଇଲ ନେତା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଫୋକସରେ ପୂର୍ବତନ ପ୍ରଶାସକ। ଭୁବନେଶ୍ୱରରେ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ। ଅରୁପ ମୁମ୍ବାଇର ପୂର୍ବତନ ପୋଲିସ କମିଶନର। ଏହି ଆଇପିଏସ ଅଧିକାରୀଙ୍କ ସହ ମୁକାବିଲା ହେଉଛି ବିଜେପିର ଅପରାଜିତା ଷଡ଼ଙ୍ଗୀ ସହ। ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତ ଷଡ଼ଙ୍ଗୀ । କଟକ ଲୋକସଭାରେ ମଧ୍ୟ ଜଣେ ପୂର୍ବତନ ଆଇପିଏସ୍‌ । ପୂର୍ବତନ ସିଆରପିଏଫ ଡିଜି ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ସମ୍ବଲପୁର ଲୋକସଭାରେ ବିଜେଡି ପ୍ରାର୍ଥୀ ଅଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ବଡ଼ ବଡ଼ ସେତୁ ନିର୍ମାଣର ଦାୟିତ୍ୱ ତୁଲାଉଥିବା ନଳିନୀ, ଲୋକଙ୍କ ସହ କିପରି ସେତୁବନ୍ଧ ବାନ୍ଧୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି, ଘସିପୁରାରୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗରୁ ନୃସିଂହ ଚରଣ ସାହୁ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା ଓ ପୁରୀରୁ ମହେଶ୍ୱର ମହାନ୍ତି। ସେହିପରି ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ପିପିଲିରୁ ପ୍ରଦୀପ ମହାରଥୀ, ନୟାଗଡ଼ରୁ ଅରୁଣ ସାହୁ, ଜୟଦେବରୁ ଅରବିନ୍ଦ ଢାଲି ଓ ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର। ପ୍ରମୁଖ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଘସିପୁରାରୁ ମନ୍ତ୍ରୀ ବଦ୍ରିପାତ୍ରଙ୍କ ସହ ଲଢେଇ କରୁଛନ୍ତି ନିରଞ୍ଜନ। ଢେଙ୍କାନାଳ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେ.ପି.ସିଂହଦେଓ। ଆନନ୍ଦପୁର ବିଧାନସଭା ପାଇଁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରାର୍ଥୀ ହୋଇଛନ୍ତି।

ତୃତୀୟ ପର୍ଯ୍ୟାୟରେ ୬ ଲୋକସଭାରେ ମତଦାନ ହେବ। କଟକରେ ବିଜେଡି ପ୍ରାର୍ଥୀ ଅଛନ୍ତି ଭର୍ତ୍ତୃହରି ମହତାବ, ବିଜେପି ପ୍ରାର୍ଥୀ ଅଛନ୍ତି ପ୍ରକାଶ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋ। ସମ୍ବଲପୁରରେ ବିଜେଡିର ନଳିନୀ ପ୍ରଧାନ, ବିଜେପିର ନୀତିଶ ଗଙ୍ଗଦେବ ଓ କଂଗ୍ରେସର ଶରତ ପଟ୍ଟନାୟକ, କେନ୍ଦୁଝରରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁ, ବିଜେପିର ଅନନ୍ତ ନାୟକ ଓ କଂଗ୍ରେସର ମୋହନ ହେମ୍ବ୍ରମ, ଢେଙ୍କାନାଳରେ ବିଜେଡିର ମହେଶ ସାହୁ, ବିଜେପିର ରୁଦ୍ରନାରାୟଣ ପାଣି ଓ କଂଗ୍ରେସର କେ ପି ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପୁରୀ ଲୋକସଭା ମଧ୍ୟ ସମସ୍ତଙ୍କ ଫୋକସରେ। ବିଜେଡି ପ୍ରାର୍ଥୀ ଅଛନ୍ତି ପିନାକୀ ମିଶ୍ର, ବିଜେପି ପ୍ରାର୍ଥୀ ଅଛନ୍ତି ସମ୍ବିତ ପାତ୍ର ଓ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ସତ୍ୟପ୍ରକାଶ ନାୟକ। ଭୁବନେଶ୍ୱରରୁ ବିଜେଡିର ଅରୂପ ପଟ୍ଟନାୟକ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ସିପିଏମ୍‌ର ଜନାର୍ଦ୍ଦନ ପତି ପ୍ରାର୍ଥୀ ଅଛନ୍ତି।

୬ ଲୋକସଭା ଆସନ ମଧ୍ୟରୁ ୨୦୧୪ରେ ବିଜେଡି ସମସ୍ତ ଆସନ ଜିତିଥିଲା। ସେହିପରି ୪୨ଟି ବିଧାନସଭା ଆସନରୁ ବିଜେଡି ୩୭, ବିଜେପି ୩ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନ ଜିତିଥିଲେ। କଂଗ୍ରେସକୁ ଗୋଟିଏ ବି ଆସନ ମିଳି ନଥିଲା । ୫ ବର୍ଷ ପରେ ପୁଣି ଆସନ୍ତା ୨୩ରେ ଭୋଟର ପୁଣି ତାଙ୍କ ମତାଧିକାର ସାବ୍ୟସ୍ତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.