କେସିଆର-ଜଗନ ମୋହନ-ମାୟା, କିଏ ମିଶାଇବେ ବିଜେପି ସହ ହାତ ?

ସରିଲା ସାଧାରଣ ନିର୍ବାଚନ। ୨୩ ତାରିଖରେ ଆସିବ ଏକଜାଟ୍ ପୋଲ୍। ତାପୂର୍ବରୁ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କିନ୍ତୁ ଏନଡିଏକୁ ଆଶ୍ୱସ୍ତି ଆଣି ଦେଲା ଭଳି ଖବର ଦେଇଛି। ଏକଜିଟ୍ ପୋଲ୍ ଆକଳନ କହୁଛି କେନ୍ଦ୍ରରେ ବହୁମତ ସହ ସରକାର ଗଢ଼ିବ ଏନଡିଏ। ଅବ୍ କି ବାର୍ ଫିର୍ ମୋଦି ସରକାର। ଆକଳନ କହୁଛି ବିଜେପି ନେତୃତ୍ୱାଧୀନ ଏନଡିଏ ୩ଶହ ପାଖାପାଖି ସିଟ୍ ଛୁଇଁବ। ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୨୭୩। କିନ୍ତୁ ଏକଜିଟ୍ ପୋଲରେ ଅନ୍ୟାନ୍ୟ ଦଳଙ୍କ ସ୍ଥିତି ବି ମଜଭୁତ ନଜର ଆସୁଛି। ଏହାର ମୁଖ୍ୟ କାରଣ ହେଉଛି ନିର୍ବାଚନ ପୂର୍ବରୁ ଟିଡିପି, ଆରଏଲଏସପି ଭଳି ବହୁ ସହଯୋଗୀ ଏନଡିଏ ସହ ସମ୍ପର୍କ ଛିନ୍ନ କରିଥିଲେ। ସରକାର ଗଠନ ପୂର୍ବରୁ ବିଜେପି ପାଇଁ ଏବେ ଚ୍ୟାଲେଞ୍ଜ, ୟୁପିଏ ଉପରେ ଆଞ୍ଚଳିକ ଦଳ ଯେମିତି ଭାରୀ ନ ପଡ଼ନ୍ତି। ଉଭୟ ଏନଡିଏ ଓ ୟୁପିଏ ଏବେ ଭିତିରିଆ ରଣନୀତିରେ ଲାଗି ଯିବେଣି। ଅଣ-ବିଜେପି ଓ ଅଣ-କଂଗ୍ରେସ ଦଳଗୁଡ଼ିକୁ କେମିତି ବଶୀଭୂତ କରିବେ।

MAYAWATI

କାହାକୁ ସମର୍ଥନ ମାଗିବ ବିଜେପି ?

କେନ୍ଦ୍ରରେ ବିଜେପି ସରକାର ଗଢ଼ିଲେ ବି କିଛି ଆଞ୍ଚଳିକ ଦଳ ନରେନ୍ଦ୍ର ମୋଦିଙ୍କ ପାଇଁ ଟେନସନ୍ ହୋଇପାରନ୍ତି। ଯଦି ବିଜେପି ସ୍ପଷ୍ଟ ବହୁମତ ନ ପାଇଲା, ତେବେ କେସିଆରଙ୍କ ଟିଆରଏସ୍ ଓ ଜଗନମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସକୁ ସମର୍ଥନର ହାତ ମାଗିବ। ଅର୍ଥାତ ‘ଆମକୁ ସାଥ୍‌ ଦିଅ, ତୁମ କଥା ଆମେ ବୁଝିବୁ’ ଭଳି ସ୍ଥିତି ବି ଉପୁଜିପାରେ। ଏମିତି ସଙ୍କେତ ନରେନ୍ଦ୍ର ମୋଦି ଓ ଅମିତ ଶାହ ଯୋଡ଼ି ନିର୍ବାଚନ ପ୍ରଚାରର ଶେଷ ଦିନରେ କରିଥିବା ପ୍ରେସମିଟରେ ଦେଇଥିଲେ। ଅମିତ ଶାହ କହିଥିଲେ, ବିଜେପିର ବିଚାରଧାରା ସହ ମିଶୁଥିବା ସମଭାବାପନ୍ନ ଦଳକୁ ଆମେ ଏନଡିଏ ଅଂଶୀଦାର ଭାବରେ ସ୍ୱାଗତ କରିବୁ। ଏକଜିଟ୍ ପୋଲ୍ ରିପୋର୍ଟ ପରେ ଲାଗୁଛି ଟିଆରଏସ୍, ଓ୍ୱାଇଏସଆର କଂଗ୍ରେସ ଭଳି ଦଳଙ୍କ ପାଇଁ ବିଜେପି ତାର ଦୁଆର ଖୋଲା କରିବ। ଅଣବିଜେପି ଓ ଅଣକଂଗ୍ରେସ ଦଳଗୁଡ଼ିକୁ କେମିତି କଂଗ୍ରେସର ଚକ୍ରବ୍ୟୂହରୁ ଦୂରେଇ ରଖାଯିବ, ସେନେଇ ସିକ୍ରେଟ ଷ୍ଟ୍ରାଟେଜିରେ ଲାଗିଲାଣି ବିଜେପି।

YSRA-TRS

ଓ୍ୱାଇଏସଆର କଂଗ୍ରେସ ଓ ଟିଆରଏସ୍ ଗତି କୁଆଡ଼େ ?

ବିଜେପି ବି କଂଗ୍ରେସ ପ୍ଲାନକୁ ମାତ୍‌ ଦେବାକୁ ଭରପୂର ଉଦ୍ୟମ କରିବ। ଟିଆରଏସ୍, ଓ୍ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି କିଛି ଅଣକଂଗ୍ରେସ ଓ ଅଣବିଜେପି ଦଳର ସମର୍ଥନ ମାଗିବ ବିଜେପି। ଫୋକସରେ ଓ୍ୱାଇଏସଆର କଂଗ୍ରେସ ଓ ଟିଆରଏସ୍। ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ ମୋଦି ଓ ଅମିତ ଶାହ କେସିଆରଙ୍କ ବିରୋଧରେ ମୁହଁ ଖୋଲି ନଥିଲେ। କେବଳ କଂଗ୍ରେସ ଉପରେ ବର୍ଷି ଥିଲେ। ସେହିପରି ଆନ୍ଧ୍ରରେ ପ୍ରଚାର ବେଳେ ବିଜେପି ଟାର୍ଗେଟରେ ଓ୍ୱାଇଏସଆର ନଥିଲା। ଥିଲେ ଟିଡିପି ଓ ଚନ୍ଦ୍ରବାବୁ ନାଇଡୁ। କ୍ୟାମ୍ପେନ୍ ମୈଦନାରୁ ସ୍ପଷ୍ଟ ହୋଇଥିଲା ଯେ ବିଜେପି କାହା ସହ ହାତ ମିଳାଇବାକୁ ଯାଉଛି। ଯଦିଓ ଓଡ଼ିଶାରେ ପ୍ରଚାର ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବିଜେପି ଜୋରଦାର ହମଲା କରିଥିଲା। କିନ୍ତୁ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆସିବା ବେଳେ ନବୀନଙ୍କୁ ଖୁବ ତାରିଫ କରିଥିଲେ ମୋଦି। ଏହାପରେ ବିଜେଡି-ବିଜେପି ପୁରୁଣା ସମ୍ପର୍କ ଫେରିବା କଥା ବି ଉଠିଥିଲା।

କଂଗ୍ରେସର ମାଷ୍ଟର ପ୍ଲାନ୍

ଏକଜିଟ୍ ପୋଲ କହୁଛି, ଏଥର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟକୁ ୮୦ରୁ ୧୩୦ ଆସନ ଦେଉଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଖାତାରେ ପଡ଼ିଥିଲା କେବଳ ୪୪ ସିଟ୍। ଏଥର ସଂଖ୍ୟା ୯୦ ଛୁଇଁଲେ ବି କଂଗ୍ରେସ ପାଇଁ ଭଲ ଖବର। ଜାତୀୟ ଦଳ ଭାବରେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲମ୍ବିଛି କଂଗ୍ରେସ ରାଜନୀତିର ଚେର। ବିଜେପି ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିଛି କଂଗ୍ରେସ। ସେହିପରି ବିରୋଧୀ ଦଳ ନେତା ଜଣେ ଅନ୍ୟ ଜଣଙ୍କ ସହ ବୈଠକ କରୁଛନ୍ତି।

RAHUL-SONIA

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗତ କିଛି ଦିନ ହେବ ବିଭିନ୍ନ ଦଳର ମୁଖିଆଙ୍କ ସହ ମାରାଥନ୍ ବୈଠକ ଚଳାଇଛନ୍ତି। ରାହୁଲ, ଶରଦ ପାଓ୍ୱାର, ଅଖିଳେଶ, ମାୟାବତୀ, ସୀତାରାମ ୟେଚୁରୀଙ୍କ ଭଳି ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। କଂଗ୍ରେସ ବି ବିଜେପିକୁ ଦିଲ୍ଲୀ ଗାଦିରୁ ଦୂରେଇ ରଖିବା ପାଇଁ ଫେଡେରାଲ୍ ଫ୍ରଣ୍ଟ ସପକ୍ଷରେ ଗ୍ରୀନ୍ ସିଗନାଲ୍ ଦେଇଛି। ୨୩ରେ ସୋନିଆ ଡାକିଛନ୍ତି ଅଣବିଜେପି ଓ ଅଣକଂଗ୍ରେସ ଦଳଙ୍କ ସହ ବୈଠକ। ବିଜେଡି, ଟିଡିପି, ଓ୍ୱାଇଏସଆର କଂଗ୍ରେସ ଓ ଟିଆରଏସ୍ ମୁଖ୍ୟଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇଛି। ଏକଜିଟ୍ ପୋଲ ଆକଳନ ପରେ ଏବେ ସମସ୍ତଙ୍କ ନଜର ସୋନିଆଙ୍କ ବୈଠକକୁ କେଉଁମାନେ ଆସୁଛନ୍ତି, କିଏ ଦୂରେଇ ରହୁଛନ୍ତି।

କିଙ୍ଗ ମେକର୍ ଆଞ୍ଚଳିକ ଦଳ

କେନ୍ଦ୍ରରେ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ଆଞ୍ଚଳିକ ଦଳମାନଙ୍କର। ସେମାନଙ୍କୁ ନେଇ ସରକାର ଗଠନ ପାଇଁ ଚିନ୍ତା କରୁଛନ୍ତି ବିଜେପି ଓ କଂଗ୍ରେସ। ଯଦି ଦେଖିବା ବିଜେପି ଫୋଲ୍‌ଡର୍‌ରୁ ବହୁ ସହଯୋଗୀ ବାହାରି ଯାଇଛନ୍ତି। ଟିଡିପି ଓ ଏଲଜେପି ଏନଡିଏ ମେଣ୍ଟର ହାତ ଛାଡ଼ି ସାରିଛନ୍ତି। ପଶ୍ଚିମବଙ୍ଗରେ ମମତା ମୋଦି ବିରୋଧୀ। ତାମିଲନାଡୁରେ ଡିଏମକେ ବି ବିଜେପି ବିରୋଧରେ ରହିଛି। ଏସପି-ବିଏସପି ମୋଦି ରଥରେ ବ୍ରେକ୍ ଲଗାଇବାକୁ ଉତ୍ତର ପ୍ରଦେଶରେ ମେଣ୍ଟ କରିଥିଲେ। ଏକଜିଟ୍ ପୋଲ ପରେ ଅଖିଳେଶଙ୍କ ମତ କଂଗ୍ରେସକୁ ସମର୍ଥନ ଦେବା ନେଇ ପରୋକ୍ଷରେ ଇଙ୍ଗିତ କରୁଛି। ନିର୍ବାଚନ ବେଳେ କଂଗ୍ରେସ ଓ ବିଜେପି ଉପରେ ବର୍ଷୁଥିବା ବିଏସପି ସୁପ୍ରିମୋ ମାୟାବାତୀ ଏବେ କିନ୍ତୁ ଚୁପ୍। କୁହାଯାଉଛି, ୨୩ ଫଳାଫଳ ଯାଏଁ ବେହନଜୀ ଅପେକ୍ଷା କରୁଛନ୍ତି। ତାପରେ କେଉଁ ଆଡ଼େ ଢାଳିବେ ସ୍ପଷ୍ଟ କରିବେ ମାୟାବତୀ। ଓ୍ୱାଇଏସ୍‌ଆର କଂଗ୍ରେସ ଓ ଟିଆରଏସ୍ ବି ଫଳାଫଳ ପରେ ସମର୍ଥନ ଘୋଷଣା କରି ପାରନ୍ତି। ଏବେ ସମସ୍ତଙ୍କ ଅପେକ୍ଷା ଏକଜାକ୍‌ଟ ପୋଲ୍‌କୁ।

ଅଜିତ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.