Below header

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନବୀନଙ୍କ ମାରାଥନ ପ୍ରଚାର ! ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୬ଟି ସ୍ଥାନରେ ଜନସଭା

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦୁଲୁକୁଛି ବିଜେଡିର ପ୍ରଚାର ମୈଦାନ। ମଙ୍ଗ ଧରିଛନ୍ତି ଦଳ ସୁପ୍ରିମୋ। ମାରାଥନ୍‌ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରର ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି। ଆଜି ଯାଇଥିଲେ ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା। ୬ଟି ଜନସଭାକୁ ସମ୍ବୋଧିତ କରିଥିଲେ ନବୀନ। ପ୍ରତିଟି ସମାବେଶରେ କେନ୍ଦ୍ରକୁ ଶାଣିତ ହମଲା କରିଥିଲେ। ନବୀନ ପ୍ରଶ୍ନ କରିଥିଲେ, ସ୍ୱାଧୀନତାର ୭୨ ବର୍ଷ ପରେ ବି କନ୍ଧମାଳ, ବୌଦ୍ଧ ଓ ସୋନପୁରକୁ ରେଳ ପହଞ୍ଚି ନାହିଁ। ଏଥିପାଇଁ ଦାୟୀ କିଏ? ରାଜ୍ୟ ସରକାର ମାଗଣାରେ ଜମି ଓ ଟଙ୍କା ଦେଇଥିଲେ ବି ଆସିପାରିଲା ନାହିଁ ରେଳ। ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀ ଜଳ ବନ୍ଦ ପାଇଁ ବିଜେପି ଛତିଶଗଡ଼କୁ ସହଯୋଗ କଲା। ବୁଣାକାରଙ୍କ ଉପରେ କେନ୍ଦ୍ରର ବିଜେପି ସରକାର ଜିଏସ୍‌ଟି ଲଗାଇଲା। ଚାଷୀ, ବୁଣାକାରଙ୍କ ପାଇଁ କେନ୍ଦ୍ରର ଦରଦ ଏମିତି ବୋଲି କହିଛନ୍ତି ନବୀନ।

ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ନବୀନ । ଏହାପରେ ଆସିଥିଲେ କନ୍ଧମାଳ ସଂସଦୀୟ କ୍ଷେତ୍ରକୁ। କଣ୍ଟାମାଳ, ବୌଦ୍ଧ, ଜି. ଉଦୟଗିରି, ଫୁଲବାଣୀ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। କନ୍ଧମାଳ ଲୋକସଭାରୁ ବିଜେଡି ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି। ଡକ୍ଟର ସାମନ୍ତଙ୍କ ସମେତ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡ ନେତା, କର୍ମୀ ଓ ଭୋଟର ବେଶ ଉତ୍ସାହିତ ଥିଲେ।

ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ କନ୍ଧମାଳ ସମେତ ରାଜ୍ୟର ୫ଟି ଲୋକସଭା ଆସନରେ ମତଦାନ ରହିଛି। ମଝିରେ ଆଉ ୬ ଦିନ ରହିଲା। ପ୍ରଚାରକୁ ସରଗରମ କରିଛି ବିଜେଡି। ନେତା ପହଞ୍ଚୁଛନ୍ତି ଜନତାଙ୍କ ପାଖରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.