କୋମନା ସଭାରେ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ, ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ

ନୂଆପଡ଼ା : ମହିଳାଙ୍କ ପାଇଁ ପ୍ରତିଶ୍ରୁତି ପେଡ଼ି ଖୋଲିଲେ ବିଜେଡି ସୁପ୍ରିମୋ। ନୂଆପଡ଼ାରେ ନିର୍ବାଚନ ସଭାରେ ବଡ଼ ଘୋଷଣା କରିଛନ୍ତି ନବୀନ। ବିଜେଡି ଇସ୍ତାହାରରେ ମହିଳାଙ୍କ ପାଇଁ କଣ ରହିଛି, ତାର ଲମ୍ବା ତାଲିକା ଭୋଟରଙ୍କ ଆଗରେ ରଖିଛନ୍ତି। ସହାୟତାର ପ୍ରତିଶ୍ରୁତି ଦେଇ ନବୀନ କହିଛନ୍ତି, ମିଶନ ଶକ୍ତିର ମହିଳାମାନଙ୍କୁ ବାର୍ଷିକ ୫ହଜାର କୋଟି ଟଙ୍କାର ସରକାରୀ କାମ ଯୋଗାଇ ଦିଆଯିବ। ସବୁ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନଙ୍କ ପାଇଁ ଦୁର୍ଘଟଣା ବୀମା, ଏସ୍‌ଏଚ୍‌ଜିଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯିବ। ପୂର୍ବରୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଥିଲା। ସେହିପରି ବିଜେଡି ସରକାରକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ଥିବା ଚିକିତ୍ସା ସହାୟତାକୁ ୭ ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

ଝିଅମାନଙ୍କ ପାଇଁ ବି ବିଜେଡି ଇସ୍ତାହାରରେ ଅନେକ ଘୋଷଣା କରିଛି। ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ଯୋଗାଇ ଦେବାକୁ ନବୀନ ଘୋଷଣା କରିଛନ୍ତି। ସବୁ ଝିଅଙ୍କୁ ମାଗଣାରେ ପାଠ ପଢାଇବାକୁ ବ୍ୟବସ୍ଥା କରାଯିବ। କେଜିରୁ କଲେଜ, ମେଡିକାଲ ହେଉ ବା ଇଞ୍ଜିନିୟରିଂ ପର୍ଯ୍ୟନ୍ତ ସବୁ ମାଗଣା। ନବୀନ କହିଛନ୍ତି, ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ। ଏହାସହ କେନ୍ଦ୍ର ଓ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ନବୀନ। ସେ କହିଛନ୍ତି, ନିର୍ବାଚନ ସମୟ ଆସିଲେ କେନ୍ଦ୍ରର ବଡ଼ ବଡ଼ ନେତାଙ୍କର କଳାହାଣ୍ଡି, ନୂଆପଡ଼ା କଥା ମନେପଡ଼େ। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ। ଭବାନୀପାଟଣା ରେଲ ୱାଗନ କାରଖାନା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.