Below header

ଓଲିଉଡ୍‌ ଷ୍ଟାର୍‌ : ସଦସ୍ୟ ବେଶି ହେଲେ ପ୍ରାର୍ଥିତ୍ୱ କମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜନୈତିକ ଦଳରେ ଓଲିଉଡ୍‌ ତାରକାଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ହେଲେ ଏଥର ନିର୍ବାଚନୀ ମଇଦାନରେ କିନ୍ତୁ ଏମାନଙ୍କ ସଂଖ୍ୟା ଖୁବ୍‌ କମ୍‌ । ଚଳିତ ଥର ମାତ୍ର ୩ ଜଣ ସିନେ ତାରକାଙ୍କୁ ଟିକେଟ ମିଳିଛି । କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି । ସେହିପରି ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରୁ ବିଜେପି ଟିକେଟ ପାଇଛନ୍ତି । ସେପଟେ ଦିଗପହଣ୍ଡି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ପିଙ୍କି ପ୍ରଧାନ ।
ତେବେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ବିଧାୟକ ଆକାଶ ଦାଶ ନାୟକଙ୍କୁ ଏଥର ଟିକେଟ ମିଳିନାହିଁ । ସେହିପରି ଅଭିନେତା ଅରିନ୍ଦମଙ୍କ ନାଁ ଶୁଣାଯାଇଥିଲେ ମଧ୍ୟ ସେ ଟିକେଟ୍‌ ପାଇ ନାହାନ୍ତି । ମୁନ୍ନା ଖାଁ ମଧ୍ୟ ତାଲିକାକୁ ଆସି ନାହାନ୍ତି । ପୁଣି କୁନା ତ୍ରିପାଠୀ ବିଜେଡିର ଅଧିକାଂଶ ବଡ଼ ବଡ଼ କାର୍ଯ୍ୟକ୍ରମରେ ଆଙ୍କର ଭାବେ କାର୍ଯ୍ୟ କରୁଥିବା ବେଳେ ସିଧାସଳଖ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ । ସେହିଭଳି ଗତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଏଥର ଦେଖିବାକୁ ମିଳିଲା ନାହିଁ ।
ଅନ୍ୟପକ୍ଷରେ ନିୟମିତ ବ୍ୟବଧାନରେ ଭାରତୀୟ ଜନତା ପାର୍ଟିରେ ଓଡ଼ିଆ ସିନେ ତାରକା ସାମିଲ ହୋଇ ଚାଲିଲେ । ଗେରୁଆ ରଙ୍ଗରେ ରଙ୍ଗେଇ ଗଲେ । ମିହିର ଦାସ, ଅନୁ ଚୌଧୁରୀ, ମହାଶ୍ୱେତା ରାୟ, ଶ୍ରୀତମ ଦାସ, ହରି ପ୍ରମୁଖ କେତେ କେତେ ଅଭିନେତା ସାମିଲ ହୋଇଥିଲେ । ହେଲେ ପ୍ରଚାର ଆରମ୍ଭ ହୋଇ ସାରିଥିଲେ ମଧ୍ୟ ନିର୍ବାଚନ ରଣାଙ୍ଗନରେ ଏପର୍ଯ୍ୟନ୍ତ କାହାକୁ ଦେଖିବାକୁ ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.