ଖୋଲିଲା ୧୪ ବର୍ଷ ତଳର ପୁରୁଣା ଫାଇଲ୍‌, ନିର୍ବାଚନ ପୂର୍ବରୁ ବଢ଼ି ପାରେ ବାପ ପୁଅ ମୁଲାୟମ ଓ ଅଖିଲେଶଙ୍କ ସମସ୍ୟା

ନୂଆଦିଲ୍ଲୀ : ୧୪ ବର୍ଷ ତଳର ପୁରୁଣା ମାମଲା ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଲେଶ ଯାଦବଙ୍କ ନାଁରେ । ୨୦୦୭ ମସିହାରେ ମାମଲାର ଷ୍ଟାଟସ୍‌ ରିପୋର୍ଟ ରହିଛି । ହେଲେ ଏବେ ଅଚାନକ ସୁପ୍ରିମ୍‌ କୋର୍ଟ ଏହି ମାମଲାର ବର୍ତ୍ତମାନର ଷ୍ଟାଟସ୍‌ ରିପୋର୍ଟ କଣ ଅଛି ବୋଲି ପଚାରିଛନ୍ତି । ଉଭୟ ବାପ ପୁଅ, ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଏବଂ ଭାଇ ପ୍ରତୀକ ଯାଦବଙ୍କ ବିରୋଧରେ ଦୁର୍ନୀତି ମାମଲା ଆସିଥିଲା । ସେମାନେ କ୍ଷମତାର ଦୁରୁପଯୋଗ କରି ବ୍ୟାପକ ଦୁର୍ନୀତି କରିଥିଲେ ବୋଲି ବିଶ୍ୱନାଥ ଚତୁର୍ବେଦୀ ନାମକ ଜଣେ ନେତା ୨୦୦୫ରେ କୋର୍ଟରେ ଏକ ଅଭିଯୋଗପତ୍ର ଦାଖଲ କରିଥିଲେ । ମାମଲାର ଯାଞ୍ଚ କରି ସୁପ୍ରିମ୍‌ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅବଶ୍ୟ ୨୦୧୨ରେ ଡିମ୍ପଲଙ୍କ ବ୍ୟତୀତ ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ସେବେଠାରୁ ଏହି ମାମଲାରେ କୌଣସି ଏଫ୍‌ଆଇଆର ମଧ୍ୟ ରୁଜୁ ହୋଇ ପାରିନାହିଁ । ତେଣୁ ମୁଲାୟମ ଓ ଅଖିଳେଶଙ୍କ ବିରୋଧରେ ଚାଲିଥିବା ଏହି ମାମଲା ଦୁର୍ବଳ ହୋଇଯାଇଛି । ଏବେ ସୁପ୍ରିମ୍‌ କୋର୍ଟଙ୍କ ତାଗିଦା ପୁଣି ମାମଲାକୁ ଉଜାଗର କରିଛି । ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇକୁ ଏହି ମାମଲା ସମ୍ପର୍କରେ ଷ୍ଟାଟସ୍‌ ଓ ତଦନ୍ତ ରିପୋର୍ଟ ଦେବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.