‘ବିଜୟ’ଙ୍କ ଠାରୁ ବିଜୟ ନେଇଗଲେ ସାବିତ୍ରୀ ଅଗ୍ରୱାଲ, ସାଥ୍ ଦେଲାନି ଭାଗ୍ୟ

ଭୁବନେଶ୍ବର (କେନ୍ୟୁଜ୍ ବ୍ୟୁରୋ):ଏଥର ନିର୍ବାଚନମଣ୍ଡଳୀ ବଦଳିଲା। ପ୍ରାର୍ଥୀ ବଦଳିଲେ। କିନ୍ତୁ ବିଜୟଙ୍କ ଭାଗ୍ୟ ବଦଳିଲାନି। ୨୦୧୪ରେ ମହାକାଳଡ଼ପଡାରୁ ନିର୍ବାଚନ ଲଢି ହାରିଥିଲେ। ଏଥର ପାଟକୁରା ଆସିଲେ। ତଥାପି ବିଜୟଙ୍କର ଭାଗ୍ୟ ଫିଟିଲାନି। ବିଜୟଙ୍କଠାରୁ ବିଜୟ ନେଇଗଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ। ପାଟକୁରା ନିର୍ବାଚନ ଅଟକିବା ପରେ ବିଜୟଙ୍କ ପ୍ରତି ଅନୁକମ୍ପା ବଢିଥିଲା। ପ୍ରଚାରଠାରୁ ଆରମ୍ଭ କରି ଫଳ ବାହାରିବା ପର୍ଯ୍ୟନ୍ତ ବେଶ ବେଶ କନଫିଡେଣ୍ଟ ଥିଲେ ବିଜୟ।

ଏବେ ଆସନ୍ତୁ ନଜର ପକାଇବା ବିଜୟଙ୍କ ପରାଜୟ ପଛରେ କଣ ସବୁ ସମ୍ଭାବ୍ୟ କାରଣ। କୁହାଯାଉଛି, ସବୁ କିଛି ଠିକ୍‌ଠାକ୍‌ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ଼ ସୋ ବିଜୟଙ୍କ ବିଜୟ ଆଶାରେ ବ୍ରେକ ଲଗାଇ ଦେଲା। ଏହା ସହ ମହିଳାଙ୍କ ଭୋଟ ବିଜୟଙ୍କୁ ଭାରି ପଡିଲା ବୋଲି କୁହାଯାଉଛି। ବିଜେଡିର ରଣନୀତି ବିଜୟ ପରାଜୟ ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ବିଜେଡିର ୧୩ରୁ ଅଧିକ ମନ୍ତ୍ରୀ ୪୦ରୁ ଅଧିକ ବିଧାୟକ ପଞ୍ଚାୟତୱାରୀ ଡେରା ପକାଇଥିଲେ ପାଟକୁରାରେ। ଏହାସହ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତି ଅନୁକମ୍ପା ଭୋଟ୍‌ ବିଜୟଙ୍କ ବିଜୟ ବାଟ ବନ୍ଦ କରିଦେଲା ବୋଲି ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ସାବିତ୍ରୀଙ୍କୁ ଜିତାଇବା ପାଇଁ ସବୁ ଦମ ଲଗାଇ ଦେଇଥିଲା ବିଜେଡି। କିନ୍ତୁ ବିଜୟଙ୍କୁ ବିଜୟୀ କରିବା ପାଇଁ ସେତିକି ବଳ ଖଟାଇଥିଲା କି ବିଜେପି? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯଦିଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ଟାଣୁଆ ନେତା ପ୍ରଚାରକୁ ଯାଇଥିଲେ। କିନ୍ତୁ ଦିନେ ଅଧେ ପ୍ରଚାର କରି ଗାଏବ ହୋଇଗଲେ। ୨୦୧୮ ବିଜେପୁର ଉପ ନିର୍ବାଚନ ବେଳେ ଅନେକ କେନ୍ଦ୍ରୀୟ ନେତାଙ୍କୁ ପ୍ରଚାରରେ ସାମିଲ କରିଥିଲା ଦଳ। କିନ୍ତୁ ପାଟକୁରାରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବାଦ୍‌ ଦେଲେ ଆଉ କାହାରିକୁ ଦେଖିବାକୁ ମିଳିନଥିଲା।

କଂଗ୍ରେସ ଗତି ଦିନକୁ ଦିନ ତଳକୁ ଖସୁଛି। ଦୁର୍ଦ୍ଦିନରେ ଦଳ। ପାଟକୁରାରେ କଂଗ୍ରେସ ଅମାନତ ହରାଇଛି। ଅର୍ଥାତ କଂଗ୍ରେସ ଭୋଟ ବିଜେଡିକୁ ଗଲା କି। ଆଉ ଏହା ବିଜୟଙ୍କ ପାଇଁ କଣ୍ଟା ହେଲା କି। ଏମିତି କିଛି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.