ଜାଣନ୍ତୁ ବଲିଉଡର ଜେଜେ ମା’ ଭାବେ ପରିଚିତ ଏହି କଳାକାରଙ୍କ ବିଷୟରେ କିଛି ଅଜଣା କଥା

ବିଗତ ଦିନର ସିନେମା ଗୁଡିକରେ ମା’,ଆଈ,ଜେଜେ ମା’ ଭୂମିକାରେ ଅଭିନୟ କରିଥିବା ଏହି କଳାକାର ଜଣକୁ ତ ଆପଣ ଚିହିଁ ପାରୁଥିବେ ନିଶ୍ଚୟ । ଏହି ଭୂମିକା ଗୁଡିକୁ ସେ ନିଜ ନିଖୁଣ ଅଭିନୟ ମାଧ୍ୟମରେ ଏମିତି ଜୀବନ୍ତ କରିପାରନ୍ତି ଯେ ଲାଗେ ସେ ଆମରି ପରିବାର ଭିତରୁ କେହିଜଣେ । ପରଦା ଉପରେ ସେ ଯେତିକି ନିଜର ଲାଗନ୍ତି ବାସ୍ତବ ଦୁନିଆରେ ବି ସେ ସେତିକି ସରଳ । ତାଙ୍କୁ ଦେଖିଦେଲେ ଲାଗେ ଯେମିତି ସତେକି ସେ ଆମ ପାଖ ପଡ଼ିଶାରେ ହିଁ ରହୁଛନ୍ତି ।

 

 

ଖାଲି ସେତିକି ନୁହେଁ ଏହି କଳାକାର ଜଣକ ଭାରତର ସ୍ୱାଧୀନତା ଆନ୍ଦୋଳନରେ ବି ଏକ ମହତ୍ଵପୂର୍ଣ୍ଣ ଭୂମିକା ନିଭେଇଥିଲେ । ଆମେ ଆପଣଙ୍କୁ ଏଠାରେ ଯାହା ବିଷୟରେ କହୁଚୁ ସେ ଆଉ କେହି ନୁହନ୍ତି ବିଗତ ସିନେମା ଗୁଡିକରେ ନିଖୁଣ ଅଭିନୟ କରି ଆମ ମନ ଜିଣି ପାରୁଥିବା ଆମ ପ୍ରିୟ  ଦିନା ପାଠକ । ସେହି ବର୍ଷିୟାନ ଅଭିନେତ୍ରୀ ଜଣକର ଆଜି ୧୭ତମ ପୁର୍ଣ୍ୟତିଥି ।ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୦୨ ମସିହାରେ ୮୦ ବର୍ଷ ବୟସରେ ଆଜିର ଦିନରେ ହିଁ ସେ ଦୁନିଆ ଛାଡ଼ି ଚାଲି ଯାଇଥିଲେ । କିନ୍ତୁ ନିଜର ଶେଷ ସମୟ ପର୍ଯ୍ୟନ୍ତ ଦିନା ସିନେମା ଜଗତରେ ବେଶ ସକ୍ରିୟ ଥିଲେ ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ନିଜ ଶେଷ ସମୟ ପର୍ଯ୍ୟନ୍ତ ଏକ ଭଡା ଘରେ ହିଁ ବସବାସ କରୁଥିଲେ । ସେ ୧୯୨୨ ମସିହା ମାର୍ଚ୍ଚ ମାସ ୪ ତାରିଖରେ ଗୁଜୁରାଟର ଅମରେଲିରେ ଜନ୍ମ ନେଇଥିଲେ । ପ୍ରାୟ ୬୦ ବର୍ଷର ଲମ୍ବା କ୍ୟାରିୟରରେ ଦିନା ପ୍ରାୟ ୧୨୦ ସିନେମାରେ ଅଭିନୟ କରିଛନ୍ତି । ଏହା ସହ ଗୁଜୁରାଟି ଥିଏଟର ବି ସେ ନିଜ ଅଭିନୟ ଜାରି ରଖିଥିଲେ । ଦିନା ଙ୍କର ବଡ ଝିଅର ନାଁ ରତ୍ନା ପାଠକ ଶାହ ଓ ସାନ ଝିଅ ସୁପ୍ରିୟା ପାଠକ । ଦୁହେଁ ଯାକ ହିନ୍ଦୀ ସିନେମା ଜଗତରେ ବେଶ ସକ୍ରିୟ ରହିଛନ୍ତି । ନିଜ ମା’ ଙ୍କ ପ୍ରରୋଚନାରେ ସେମାନେ ବି ଥିଏଟର ଦୁନିଆରେ ପାଦ ଥାପି ଥିଲେ ।

ବଡ ଝିଅ ବଲିଉଡର ବର୍ଷିୟାନ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ବିବାହ କରିଥିବା ବେଳେ ସାନ ଝିଅ ଅଭିନେତା ତଥା ନିର୍ଦ୍ଧେଶକ ପଙ୍କଜ କପୁରଙ୍କୁ ବିବାହ କରିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରି ଥିବାରୁ ତାଙ୍କୁ ମୁମ୍ବାଇ ସେଣ୍ଟ ଜାଭିୟର୍ସ କଲେଜରୁ ବିତାଡିତ କରାଯାଇଥିଲା । ୧୯୭୯ ମସିହାରେ ଫିଲ୍ମ ଫେୟାର ପତ୍ରିକାକୁ ସାକ୍ଷାତତ୍କାର ଦେବା ସମୟରେ ଦିନା କହିଥିଲେ କି ଜାଭିୟର୍ସ କଲେଜରୁ ବିତାଡିତ ହେବା ପରେ ମଧ୍ୟ  ଅନ୍ୟ ଏକ  କଲେଜ ରେ ସେ ନିଜ ବିଏ ଡିଗ୍ରୀ ପୂରଣ କରିଥିଲେ । ଦିନାଙ୍କର ଚର୍ଚ୍ଚିତ ସିନେମା ଗୁଡିକ ଭିତରେ ୧୯୭୯ ମସିହାରେ ଅଭିନୀତ ଗୋଲମାଲ ଥିଲା ।

ଏହା ସହ ପଢନ୍ତୁ:  ଆଜି ୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ଶେହେନ୍‌ଶା ଅମିତାଭ ବଚ୍ଚନ

ରାମ ପ୍ରସାଦ ଓ ଲକ୍ଷ୍ମଣ ପ୍ରସାଦ ଙ୍କର ନକଲି ମା’ର ଭୂମିକା ହୁଏତ ଦର୍ଶକ କେବେ ମଧ୍ୟ ଭୁଲି ପାରିବେ ନାହିଁ । ଏହା ସହ ଦିନା ଙ୍କ ଅଭିନୀତ ବହୁ ଫିଲ୍ମ କୁ ଦର୍ଶକ କେବେ ମଧ୍ୟ ଭୁଲି ପାରିବେ ନାହିଁ । ଦିନା ପ୍ରଖ୍ୟାତ ଡିଜାଇନର ବଳଦେବ ପାଠକଙ୍କ ସହ ବିବାହ କରିଥିଲେ । ମୁମ୍ବାଇ ସ୍ଥିତ ‘ଗେଟ ୱେ ଅଫ ଇଣ୍ଡିଆ’ ପାଖରେ ବଳଦେବଙ୍କର ନିଜର ଏକ ଦୋକାନ ଥିଲା । ଏମିତିକି ବଳଦେବ ରାଜେଶ ଖାନ୍ନା, ଦିଲୀପ କୁମାରଙ୍କ ପରି କଳାକାରଙ୍କ କପଡା ଡିଜାଇନ କରିଥିଲେ । ମାତ୍ର ୫୨ ବର୍ଷ ବୟସରେ ଦିନାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏହି ଅଭିନେତ୍ରୀ ଜଣକ ସିନେମା ଜଗତରେ ଏମିତି ଛାପ ଛାଡ଼ି ଯାଇଛନ୍ତି ଯେ ତାକୁ କେବେ ମଧ୍ୟ ଭୁଲି ହେବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.