ନୂଆଦିଲ୍ଲୀ: ଚାରିଆଡ଼େ ଖାଲି କୁହୁଡ଼ିଆ ପରିବେଷ । ସୂର୍ଯ୍ୟ ବି ଦେଖାଯାଉ ନାହାନ୍ତି । ଏମିତି ଅବସ୍ଥାରେ ରୁନ୍ଧି ହୋଇଯାଇଛନ୍ତି ଦିଲ୍ଲୀବାସୀ । ବିଷ ବଳୟ ଭିତରେ ରହିଛନ୍ତି ଦେଶର ରାଜଧାନୀରେ। ପ୍ରଦୂଷଣ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଲୋକେ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଇ ପାରୁନାହାନ୍ତି। ଏୟାର କ୍ୱାଲିଟି ଇଣ୍ଡେକ୍ସ ଏବେ ୧୨୦୦ ସ୍ତର ପାର କରିଗଲାଣି। ଯେପରି ଏଠିକାର ପବନ ସହିତ ‘ହଳାହଳ’ ବିଷ ବା ଜହର ମିଶି ଗଲାଣି। ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣାରେ ମଧ୍ୟ ପ୍ରଦୂଷଣର ମାତ୍ରା ସାଘାଂତିକ ସ୍ତରରେ ପହଞ୍ଚିଲାଣି। ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଆପଣ ଯଦି ଚାହିଁବେ ବି ଏଠି ପ୍ରଦୂଷଣର ମାତ୍ର ଜାଣି ପାରିବେ ନାହିଁ । କାରଣ ପ୍ରଦୂଷଣ ମାପିବା ମେସିନ ମଧ୍ୟ କାମ କରୁନାହିଁ।
ଆଶା ଥିଲା ବର୍ଷା ପରେ କିଛି ମାତ୍ରାରେ ପ୍ରଦୂଷଣ କମିଯିବ । ହେଲେ ଦିଲ୍ଲୀ ଏନ୍ସିଆର୍ରେ ବର୍ଷା ପରେ ବି କମୁନି ପ୍ରଦୂଷଣ। ଶନିବାର ରାତିରେ ଦିଲ୍ଲୀର କିଛି ଅଂଶରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଏବେବି ସେଠାରେ ବାୟୁ ପ୍ରଦୂଷରର ସ୍ତର ସାଂଘାତିକ ଅବସ୍ଥାରେ ରହିଛି। ରବିବାର ସକାଳେ ଏଠାକାର ପ୍ରଦୂଷଣର ମାତ୍ରା ମଧ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଥିବା ଦେଖାଯାଇଛି। ଦିଲ୍ଲୀ ଆଇଟିଓରେ ସର୍ବାଧିକ ପ୍ରଦୂଷଣ ସ୍ତର ୪୮୬ ରେକର୍ଡ କରାଯାଇଛି। ଆନନ୍ଦ ବିହାର ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୭୮ ଥିବା ବେଳେ ବିବେକ ବିହାରରେ ୪୮୩ ରେକର୍ଡ କରାଯାଇଛି। ଯାହା ସାଂଘାତିକ ସ୍ତର ବୋଲି କୁହାଯାଉଛି। ଫଳରେ ଏବେ ସେଠାରେ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏବେବି ଦିଲ୍ଲୀରେ ବାଦଲ ଘୋଡାଇ ରହିଥିବା ବେଳେ ସାମାନ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି। ଦିଲ୍ଲୀରେ ଏପରି ଅବସ୍ଥା ଦେଖି ୨ ଦିନ ପାଇଁ ନୋଏଡାରେ ସ୍କୁଲ ସବୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ୧୫ ସହର ମଧ୍ୟରେ ଉତ୍ତର ପ୍ରଦେଶର ୬ଟି ସହର ରହିଛି। ଆଜି ଦିନ ୧୦ଟା ବେଳେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୬୦୦ ପାର କରି ଯାଇଥିଲା । ଚଳିତ ସିଜିନ୍ରେ ଏହା ହେଉଛି ସର୍ବାଧିକ ।
ଭଲ ଭାବେ ରାସ୍ତା ବି ଦେଖା ଯାଉ ନାହିଁ । ତେଣୁ ସକାଳ ୯ଟାରୁ ଦିନ ୧୨ଟା ଭିତରେ ୩୨ଟି ବିମାନର ଦିଗ ବଦଳା ଦିଆଯାଇଥିଲା । କେବଳ ଏହି ପ୍ରଦୂଷଣ କାରଣରୁ ଦିଲ୍ଲୀର ଅନେକ ହସପିଟାଲରେ ରୋଗୀଙ୍କ ଅପରେସନ୍କୁ ବନ୍ଦ ରଖାଯାଇଛି । ରାସ୍ତାରେ ବସ୍ ଓ ଅନ୍ୟ ଯାନବାହନ ଚଳାଚଳ କମି ଯାଇଥିବା ବେଳେ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ଯାଏ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।
ଶନିବାର ଦିନର ପ୍ରଦୂଷଣର ମାତ୍ରାକୁ ହିସାବ କଲେ ହରିୟାଣାର ଫତେହବାଦ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୩ ଥିଲା । ଯାହା ସର୍ବାଧିକ ଥିବା ରେକର୍ଡ କାଯାଇଥିଲା। ଏହା ପଛକୁ ରହିଥିଲା ହରିୟାଣର ହିସାର । ଏହାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଥିଲା। ତେବେ ଗାଜିଆବାଦ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଲଗାତର ୪୫୩ ରହୁଥିବାରୁ ଏହା ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି କହିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହାପରେ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶର ବୁଲନ୍ଦ ସହର ୪୪୩, ହାପୁଡ ୪୪୪, ଗ୍ରେଟର ନଏଡା ୪୩୮, ବାଗପତ ୪୩୫ ଓ ଷଷ୍ଠ ସ୍ଥାନରେ ରହିଛି ଲକ୍ଷ୍ନୌ ଯାହାର ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଛି ୪୨୨।
ଅଡ ଇଭିନ୍ ନମ୍ବର ବ୍ୟବସ୍ଥା ହେଉ କି ଜୋରଦାର ସଚେତନତା କିଛି ବି କାମ ଦେଉନି ଦିଲ୍ଲୀକୁ ପ୍ରଦୂଷଣ ରାକ୍ଷସ କବଳରୁ ବଞ୍ଚାଇବାକୁ । ତା ଆଗରେ ହାର୍ ମାନିଛି ପ୍ରଶାସନ ଓ ସରକାର ।