ମହିଳାଙ୍କୁ ସୁରକ୍ଷା ଦେବ କସ୍‌ମେଟିକ୍‌ କ୍ରିମ୍‌, ଏବେ ଦୁଷ୍କର୍ମକାରୀଙ୍କୁ ଧରାଇବ ଲିପ୍‌ଷ୍ଟିକ୍‌

ଭାରତରେ ପ୍ରତିଦିନ ଘଟୁଥିବା ଦୁଷ୍କର୍ମ ଘଟଣାକୁ ଦେଖିବା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠୁଛି। ଏଭଳି ସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଫରେନ୍ସିକ୍‌ ସାଇନ୍ସ ଡିପାର୍ଟମେଣ୍ଟର ଛାତ୍ର ଏକ କସ୍‌ମେଟିକ୍‌ କ୍ରିମ୍‌ ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ସହଜରେ ପହଞ୍ଚି ହେବ।

ଏମିତି କାମ କରିବ କ୍ରିମ୍‌

ସୁପରଭାଇଜର ଡା.ରାଜେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନରେ ସ୍ୱିଟି ଶର୍ମା, ରିତୋ ଚୋଫି, ହରକମଲପ୍ରୀତ କୌର ଏବଂ ପିଏଚ୍‌ଡି ଛାତ୍ର ରାଜେନ୍ଦ୍ର କସ୍‌ମେଟିକ୍‌ ଫାଉଣ୍ଡେସନ୍‌ କ୍ରିମ୍‌ ଉପରେ ରିସର୍ଚ୍ଚ କରିଛନ୍ତି। ଏହି ରିସର୍ଚ୍ଚ ପେପରକୁ ଆମେରିକାନ୍‌ ଫରେନ୍ସିକ୍‌ ଏକାଡେମୀର ଜେନେରାଲ ଅଫ୍‌ ଫରେନ୍ସିକ୍‌ ସାଇନ୍ସ ଜାରି କରିଛନ୍ତି।

ଅଧିକାଂଶ ମହିଳା କସ୍‌ମେଟିକ୍‌ କ୍ରିମ୍‌ ଓ ଲିପ୍‌ଷ୍ଟିକ୍‌ର ଉପଯୋଗ କରିଥାନ୍ତି। ଯଦି କୌଣସି ମହିଳାଙ୍କ ସହ ଦୁଷ୍କର୍ମ ବା ସେକ୍ସୁଆଲ ଆସଲ୍ଟ ହୋଇଥାଏ ଓ ସେହି ସମୟରେ ସେ ଏହି ଲିପଷ୍ଟିକ୍‌ ବା କ୍ରିମ୍‌ ଲଗାଇଥାନ୍ତି ତେବେ ଏହା ଦୁଷ୍କର୍ମକାରୀଙ୍କ ଶରୀରରେ ଲାଗିଯିବ। ପରେ ତଦନ୍ତ ବେଳେ ସେମାନଙ୍କ ଶରୀରରେ ଲାଗିଥିବା ଲିପ୍‌ଷ୍ଟିକ୍‌ ବା କ୍ରିମ୍‌କୁ ଏଟିଆର୍‌, ଏସ୍‌ଟିଆଇଆର୍‌, ସ୍ପେକ୍ଟ୍ରୋସ୍କୋପୀ ଟେକ୍ନିକ ସହ ତୁଳନା କରାଯିବ। ଉଭୟ ଗୋଟିଏ ବ୍ରାଣ୍ଡ ସହ ମିଶିଲେ ଏହା ଯାଞ୍ଚରେ ଏକ ପ୍ରମୁଖ ପ୍ରମାଣ ଭାବେ ଗ୍ରହଣ କରାଯିବ।

ଏହି ପ୍ରକ୍ରିୟାରେ ମାତ୍ର ୨ରୁ ୩ ମିନିଟ୍‌ ଭିତରେ ହିଁ ଯାଞ୍ଚ ସମ୍ପୂର୍ଣ୍ଣ ହୋଇପାରିବ। ଏହି କସ୍‌ମେଟିକ୍‌ ପ୍ରଡକ୍ଟର ବିଶେଷତ୍ୱ ହେଉଛି ଏହାର ସାମ୍ପଲ ଆଦୌ ଖରାପ ହୁଏ ନାହିଁ। କିନ୍ତୁ ପୂର୍ବରୁ ସାମ୍ପଲ ଭାବେ ବ୍ୟବହୃତ ହେଉଥିବା ମେକ୍‌ଅପ୍‌ ସାମଗ୍ରୀ ଜଲଦି ନଷ୍ଟ ହୋଇଯାଉଥିଲା। ଫଳରେ ଦୋଷୀ ପର୍ଯ୍ୟନ୍ତ ପହଞ୍ଚିବାକୁ ସମୟ ଲାଗୁଥିଲା। ଏହି ଟିମ୍‌ ଏବେ ଆଖିରେ ଲଗାଯାଉଥିବା କାଜଲକୁ ନେଇ ମଧ୍ୟ ରିସର୍ଚ୍ଚ ଆରମ୍ଭ କରିଛି। ଏହି କାଜଲ ଦୁଷ୍କର୍ମ ବେଳେ ଅଭିଯୁକ୍ତର ଶରୀରକୁ ଚାଲିଯିବ ଓ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହିବ। ଫଳରେ ଅଭିଯୁକ୍ତକୁ ଚିହ୍ନିବା ସହ ହେବ।

Leave A Reply

Your email address will not be published.