ସାରା ଭାରତବର୍ଷରେ ଖୁବ୍ ଉତ୍ସାହର ସହ ଜାନୁୟାରୀ ୧୫ ତାରିଖ ଦିନ ପାଳନ କରାଯିବ ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହା ଏକ ବିଶେଷ ପର୍ବ। ଏହି ପର୍ବର ବିଶେଷତ୍ୱ ହେଉଛି ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମହତ୍ତ୍ୱ ଓ ମାନ୍ୟତା ସମ୍ପର୍କରେ…
୧. ମକର ରାଶିରେ ପ୍ରବେଶ କରନ୍ତି ସୂର୍ଯ୍ୟ:
ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି। ତେଣୁ ଏହି ପର୍ବର ନାମ ରହିଛି ମକର ସଂକ୍ରାନ୍ତି।
୨. ଉତ୍ତରାୟଣ:
ମକର ସଂକ୍ରାନ୍ତିକୁ ଉତ୍ତରାୟଣ ମଧ୍ୟ କୁହାଯାଏ। ଏହି ଦିନ ଠାରୁ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ମୋଡ଼ ନେଇଥାନ୍ତି। ଭାରତୀୟ ସଂସ୍କୃତିରେ ସୂର୍ଯ୍ୟଙ୍କ ଦକ୍ଷିଣାୟନକୁ ନକାରାତ୍ମକ ଓ ଉତ୍ତରାୟଣକୁ ସକାରାତ୍ମକର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି ଦିନ ଜପ, ତପ ଓ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।
୩. ସୂର୍ଯ୍ୟ ଓ ଶନିଙ୍କ ମିଳନ:
ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ପୁତ୍ର ଶନିଙ୍କଠାରୁ ନିଜ ଲୋକକୁ ଗମନ କରିଥାନ୍ତି। ଶନି ମକର ରାଶିର ସ୍ୱାମୀ। ଏଣୁ ଏହିଦିନକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ।
୪. ମକର ସଂକ୍ରାନ୍ତି ଓ ଗଙ୍ଗା:
ମକର ସଂକ୍ରାନ୍ତି ଦିନ ଭଗୀରଥଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଗଙ୍ଗା ପୃଥିବୀକୁ ଆସି ସମୁଦ୍ର ସହ ମିଶିଥିଲେ।
୫. ଭୀଷ୍ମଙ୍କ ଦେହତ୍ୟାଗ ସହ ରହିଛି ସମ୍ପର୍କ:
ପୌରାଣିକ ମାନ୍ୟତା ଅନୁସାରେ ଭୀଷ୍ମପିତାମହ ପ୍ରାଣ ତ୍ୟାଗ କରିବାକୁ ମକର ସଂକ୍ରାନ୍ତି ଦିନକୁ ହିଁ ବାଛିଥିଲେ। ମକର ସଂକ୍ରାନ୍ତି ଦିନ ଦେହ ତ୍ୟାଗ କଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।
୬. ମକର ସଂକ୍ରାନ୍ତି ଓ ପୋଙ୍ଗଲ:
ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ କୁହାଯାଏ। ଏହା ମୁଖ୍ୟତଃ ଚାଷ ଓ କୃଷିଭିତ୍ତିକ ପର୍ବ। ପୋଙ୍ଗଲର ଅର୍ଥ ରାନ୍ଧିବା। ଗୁଡ଼ ଓ ଚାଉଳକୁ ରାନ୍ଧି ସେହି ପ୍ରସାଦକୁ ସୂର୍ଯ୍ୟଙ୍କୁ ଭୋଗ ଲଗାଇବାକୁ ପୋଙ୍ଗଲ କୁହାଯାଏ।
୭. ମକର ସଂକ୍ରାନ୍ତି ଓ ଲୋହଡ଼ି
ମକର ସଂକ୍ରାନ୍ତିର ଦିନକ ପୂର୍ବରୁ ଲୋହଡ଼ି ପର୍ବ ପାଳନ କରାଯାଏ। ଖାସ୍ କରି ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୁଏ।
୮. ମକର ସଂକ୍ରାନ୍ତି ସହ ଖେଚୁଡ଼ିର ରହିଛି ସମ୍ପର୍କ:
ଉତ୍ତର ପ୍ରଦେଶରେ ମକର ସଂକ୍ରାନ୍ତିକୁ ଖେଚୁଡ଼ି ମଧ୍ୟ କୁହାଯାଏ। ଏଣୁ ସେଠାରେ ଏହିଦିନ ଖେଚୁଡ଼ି ରାନ୍ଧି ନିଜେ ଖାଇବା ସହ ଅନ୍ୟଙ୍କୁ ଦାନ କରିବା ନିୟମ ରହିଛି।
୯. ଗୁଡ଼ି ଉଡ଼ାଇବା:
ମଧ୍ୟ ଭାରତରେ ମକର ସଂକ୍ରାନ୍ତିକୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ଲୋକମାନେ ଗୁଡ଼ି ଉଡ଼ାଇଥାନ୍ତି।
୧୦.ମକର ଚାଉଳ:
ମକର ସଂକ୍ରାନ୍ତି ଦିନ ଓଡ଼ିଶାର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଏ। ନୂଆ ଚାଉଳରେ କ୍ଷୀର, ନଡ଼ିଆ, ଦହି, ଛେନା, ଗୋଲମରିଚ, ବିଭିନ୍ନ ଫଳ ପକାଇ ଏହି ସ୍ୱାଦିଷ୍ଟ ମକର ଚାଉଳ ପ୍ରସ୍ତୁତ ହୁଏ।