ଆଜି ଦ୍ୱିତୀୟ ଦିନିକିଆ : ଓ୍ଵଙ୍ଖେଡ଼େ ପରାଜୟର ପ୍ରତିଶୋଧ ଭାରତ ରାଜକୋଟରେ ନେଇ ପାରିବ ତ ?

ରାଜକୋଟ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଅତି ଶୋଚନୀୟ ଭାବେ ଭାରତ ହାରିଥିଲା । କଙ୍ଗାରୁ ଦଳର ଦୁଇ ଓପ୍ନର ୨୫୬ ରନ୍‌ର ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲେ । ଯାହା ଭାରତୀୟ ଦଳର ଉଭୟ ବ୍ୟାଟିଂ ଓ ବୋଲିଂରେ ଥିବା ବଡ଼ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ତେବେ ଅଧିକାଂଶ କ୍ଷେତ୍ରରେ ଟିମ୍‌ ଇଣ୍ଡିଆ କମ୍‌ବ୍ୟାକ୍‌ କରିବାର ନଜିର ରହିଛି । ତେଣୁ ବିରାଟ କୋହଲିଙ୍କ ଟିମ୍‌ ଆଜି ରାଜକୋଟରେ କିଭଳି ଖେଳ ଦେଖାଉଛି ତାହା ଆଉ କିଛି ସମୟ ପରେ ଜଣାପଡ଼ିଯିବ ।
ଗତ ମ୍ୟାଚ୍‌ରେ ଶିଖର ଧବନ୍‌ ଓ କେ.ଏଲ୍‌ ରାହୁଲଙ୍କୁ ଛାଡ଼ି ଆଉ କେହି ଭଲ ବ୍ୟାଟିଂ କରିନଥିଲେ । ଏମିତିକି ଅନେକ ଦିନ ପରେ ଭାରତୀୟ ଦଳ ୫୦ ଓଭର୍‌ ଭିତରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ସେହିପରି ବୁମରା ଓ ସାମିଙ୍କ ଭଳି ବୋଲରଙ୍କୁ ନିଜର ଟ୍ରମ୍ପ୍‌କାର୍ଡ଼ କହୁଥିବା ଘରୋଇ ଦଳ ବୋଲିଂରେ ବି ମାତ୍‌ ଖାଇଗଲା । ଲାଗୁଥିଲା ଭାରତକୁ ଭାରତ ମାଟିରେ ଜବାବ ଦେବାକୁ ପୂରା ଦମ୍‌ରେ ତୟାର ହୋଇ ଆସିଛି କଙ୍ଗାରୁ ଦଳ ।

INDIA-2

ଏବେ କଣ କରିବ ବିରାଟ ବାହିନୀ

ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଯଦି ଆଜି ଭାରତ ହାରିଯାଏ ତେବେ ସିରିଜ୍‌ ହାତରୁ ଖସିଯିବ । ତେଣୁ ଏହି ମ୍ୟାଚ୍‌ରେ ପୂରା ସଂଗଠିତ ହୋଇ ଖେଳିବା ସହ ଯଦି ପ୍ରଥମେ ବ୍ୟାଟିଂ କରେ ତେବେ ବଡ଼ ସ୍କୋର କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଓ୍ଵିକେଟ୍‌ କିପର ଋଷଭ ପନ୍ତଙ୍କ ଆଘାତ ଦଳ ପାଇଁ ଏକ ସମସ୍ୟା ହୋଇଛି । ତାଙ୍କ ସ୍ଥାନରେ ଆଉ କାହାକୁ ଓ୍ଵିକେଟ୍‌ କିପର ଭାବେ ନିଆଯିବ ନା ନାହିଁ ସେକଥା ସ୍ପଷ୍ଟ ହୋଇନାହିଁ । ତେବେ ଲାଗୁଛି ଗତ ମ୍ୟାଚ୍‌ ଭଳି କେ.ଏଲ୍‌ ରାହୁଲ ଓ୍ଵିକେଟ୍‌ କିପିଂ କରିବେ । ଯାହା ଫଳରେ ଆଉ ଜଣେ ଖେଳାଳିଙ୍କୁ ଦଳରେ ନେବାକୁ ସୁଯୋଗ ମିଳିଯିବ ।
ଆଉ ଏକ ସମସ୍ୟାକୁ ଏଥର ନିଶ୍ଚୟ ଦୂର କରିବ ଦଳ । ତିନି ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ଅଧିନାୟକ କୋହଲି ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ପରିବର୍ତ୍ତନ କରିବାକୁ ପଡ଼ିବ । ରାହୁଲଙ୍କୁ ଜାଗା ଦେବାକୁ କୋହଲି ଚାରି ନମ୍ବରରେ ଆସିଥିଲେ । ହେଲେ ସେ ନିଜ ସ୍ଥାୟୀ ଜାଗାକୁ ପୁଣି ଫେରିବେ ଏବଂ ରାହୁଲ ଚାରି ନମ୍ବରରେ ବ୍ୟାଟିଂ କରିବେ ବୋଲି ମନେ କରାଯାଉଛି ।
ଏପଟେ ବୋଲର୍‌ଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଟକାଇବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.