କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରୟାସ: ଆଜି କୋରାପୁଟ, ଢେଙ୍କାନାଳ ଓ ବାଲେଶ୍ୱରରେ ଶୁଭାରମ୍ଭ ହେଲା କୋଭିଡ୍ ହସପିଟାଲ
ଭୁବନେଶ୍ୱର (କେ ନ୍ୟୁଜ୍) : ଆଜି ବିଷୁବ ସଂକ୍ରାନ୍ତି ଅବସରରେ ରାଜ୍ୟର ୩ଟି ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ୍-୧୯ ହସପିଟାଲ । କୋରାପୁଟ, ବାଲେଶ୍ୱର ଓ ଢେଙ୍କାନାଳରେ ଏହି ହସପିଟାଲ ଆରମ୍ଭ ହୋଇଛି ।
ଜୟପୁର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରୟାସ । ଜନସାଧାରଣଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି କୋରାପୁଟ ଜିଲ୍ଲାରେ କୋଭିଡ ହସ୍ପିଟାଲ ଶୁଭାରମ୍ଭ ହୋଇଛି । ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଶୁଭାରମ୍ଭ କରିଛନ୍ତି ଜଲ୍ଲାପାଳ । ଜୟପୁର ଉପଖଣ୍ଡ ଡାକ୍ତରଖାନାକୁ କୋଭିଡ ହସ୍ପିଟାଲ କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୭ ଜଣିଆ ଟିମ୍ ଚିକିତ୍ସା ଦାୟିତ୍ୱରେ ଅଛନ୍ତି।
ବାଲେଶ୍ୱର : ବାଲେଶ୍ୱରରେ ଆଜି ଠାରୁ କୋଭିଡ-୧୯ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସପିଟାଲ କୁରୁଡା ଠାରେ ଅବସ୍ଥିତ ଜ୍ୟୋତି ହସପିଟାଲ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ ଓଡିଶା ଜଳ ବିଦ୍ୟୁତ୍ ନିଗମ ଏଥିଲାଗି ଅନୁଦାନ ଯୋଗାଇଛନ୍ତି । ଏହା ଏକ ସ୍ୱତନ୍ତ୍ର କୋଭିଡ ହସପିଟାଲ ଭାବେ କାର୍ଯ୍ୟକ୍ଷମ ହେବ ଯାହାଦ୍ୱାରା କି କେବଳ ଭୋଭିଡ ରୋଗୀ ଚିକିତ୍ସାପାଇଁ ବ୍ୟବହୃତ ହେବ ।
ଏହି ହସପିଟାଲରେ ୧୨ଟି ଆଇସିୟୁ ଭେଣ୍ଟିଲେଟର ସହିତ ରହିଥିବା ବେଳେ ୮ଟି ଏଚ୍ଡିୟୁ ଶଯ୍ୟା ଏବଂ ୧୦୦ଟି ସାଧାରଣ ଶଯ୍ୟାର ସୁବିଧା ରହିଛି । ଡାକ୍ତର ଦୁଲାଲସେନ ଜଗଦେବଙ୍କୁ ଏହି ହସପିଟାଲରେ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ଢେଙ୍କାନାଳ : ସେହିପରି ଢେଙ୍କାଳ ସହର ସ୍ଥିତ ପୁରୁଣା ହସପିଟାଲରେ ଏକ ୬୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ଆରମ୍ଭ ହୋଇଛି । ଏହାକୁ ଜିଲ୍ଲାପାଳ ଆଜି ଉଦ୍ଘାଟନ କରିଛନ୍ତି । ଆଗାମୀ ଦିନରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବାକୁ ଲକ୍ଷ୍ୟ ରହିଛି ।