ଯାଜପୁରର କୋଲକାତା ଲିଙ୍କ ଅତି ପୁରୁଣା, ଏବେ ବିପଦ ସୃଷ୍ଟି କରିଛି ଏହି ସମ୍ପର୍କ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଦିନ କେଇଟା ତଳେ କରୋନାକୁ ନେଇ ସମସ୍ତଙ୍କ ନଜର ରହିଥିଲା ରାଜଧାନୀ ଭୁବନେଶ୍ୱର ଉପରେ । କାରଣ ଏହିଠାରୁ ସର୍ବାଧିକ ପଜେଟିଭ୍‌ ବାହାରିଛନ୍ତି । ହେଲେ ଦିନକ ଭିତରେ ଏବେ ଦୃଷ୍ଟି ବଦଳି ଯାଇଛି ସମସ୍ତଙ୍କର । ଯାଜପୁର ଜିଲ୍ଲା ଉପରେ ବର୍ତ୍ତମାନ ସମସ୍ତଙ୍କ ଆଖି ରହିଛି । କାରଣ ଏଠାକାର ପରିସ୍ଥିତି । ଗତକାଲି ଏଠାରେ ୫ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ପୁଣି ଆଜି ଖବର ଆସିଛି ଯେ ଏହି ପଜେଟିଭ୍‌ଙ୍କ ଭିତରୁ କେତେ ଜଣ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ତେଣୁ ହସପିଟାଲର ୩ ଜଣ ଡାକ୍ତର ଏବଂ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟିନ୍‌କୁ ପଠାଇ ଦିଆଯାଇଛି । ଏବେ ଚିନ୍ତାର ବିଷୟ ହେଉଛି ଏମାନଙ୍କୁ ଛାଡ଼ି ଅନ୍ୟ କିଏ ସବୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନେ କୌଣସି ପାରାମେଡିକାଲ ଷ୍ଟାଫ୍‌ ଏବଂ ଅନ୍ୟ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବି ହୋଇ ପାରନ୍ତି ।

BASUDEBPUR

ମୁଖ୍ୟ ଡାକ୍ତରଖାନାର ୩ ଜଣ ଡାକ୍ତର ଏବଂ ୧୯ ଜଣ ପାରାମେଡିକାଲ କର୍ମଚାରୀ ଏବଂ ନର୍ସ ମନଙ୍କୁ କବାରେଣ୍ଟିନ୍‌ରେ ରଖାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ଆଜି ସୂଚନା ଦେଇଛନ୍ତି । ପୁଣି ଯାଜପୁର ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୭୦୦ ଜଣ କୋଲକାତାରୁ ଆସିଥିବା ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି । ଏହି ସଂଖ୍ୟା ଅଧିକ ହୋଇଥିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହା ଏକ ଶୁଭ ସଂକେତ ଯେ କୋଲକାତା ଫେରନ୍ତାମାନେ ଆଗକୁ ଆସି ଏତେ ସଂଖ୍ୟାରେ ନାମ ପଞ୍ଜୀକରଣ କରିଛନ୍ତି । ଯାହାଫଳରେ ସେମାନଙ୍କୁ ପୃଥକ୍‌ବାସରେ ରଖାଯାଇ ପାରିବ ଏବଂ ସେମାନଙ୍କ ଠାବ କରିବାରେ ଜିଲ୍ଲା ପ୍ରଶାସନକୁ ସୁବିଧା ହେବ । ତେବେ ୭୦୦ଙ୍କ ଠାରେ କିଭଳି ଲକ୍ଷଣ ରହିଛି ଏବଂ ସେମାନଙ୍କ ଭିତରୁ କେତେ ଆକ୍ରାନ୍ତ କେବଳ ନମୂନା ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ । ଆଉ ଯଦି ଏମାନଙ୍କ ମଧ୍ୟରୁ କିଛି ଆକ୍ରାନ୍ତ ଥାନ୍ତି ତେବେ ପରିସ୍ଥିତି ଜଟୀଳ ହୋଇପାରେ ।

PANASA

ଏବେ ଜିଲ୍ଲାର ୩ଟି ବ୍ଲକର ୭ଟି ପଞ୍ଚାୟତର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରି ସଂପୃକ୍ତ ଅଂଚଳରେ ସାନିଟାଇଜ କରାଯାଉଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ନମୂନା ସଂଗ୍ରହ କରାଯିବା ସହିତ କ୍ୱାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ବାହାରୁ ବିଶେଷ କରି କୋଲକାତାରୁ ଆସିଥିବା ଲୋକଙ୍କୁ ଠାବ କରିବା ଓ
ସେମାନଙ୍କୁ ସରକାରୀ କ୍ୱାରେଣ୍ଟିନ୍‌ରେ ରଖିବାକୁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ସରପଂଚ, ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ବିଡିଓମାନଙ୍କୁ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

MUKUNDAPURସୂଚନା ଥାଉକି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରହି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି । ବିଶେଷ କରି ଯାଜପୁର ଜିଲ୍ଲାରେ ପୁରୁଷ ପୁରୁଷ ଅମଳରୁ କୋଲକାତାରେ କାମ କରି ନିଜ ପରିବାର ପୋଷଣ କରି ଆସୁଛନ୍ତି । ବର୍ତ୍ତମାନ କରୋନା ପରିସ୍ଥିତିରେ ସେମାନେ ସବୁ ଯେକୌଣସି ଉପାୟରେ ନିଜ ଘରକୁ ଫେରି ଆସିଛନ୍ତି ।
ଏଠାରେ ଦୁଇଟି କଥା ବିଚାର କରାଯାଇ ପାରେ, ଗୋଟିଏ ହେଉଛି ସେମାନେ ଲକ୍‌ଡାଉନ୍‌ ଓ ସୀମା ବନ୍ଦ ଥିବା ସତ୍ତ୍ୱେ କିଭଳି ଘରକୁ ଫେରିଲେ ଏବଂ ସରକାର ଓ ଜିଲ୍ଲା ପ୍ରଶାସନର ବାରମ୍ବାର ନିବେଦନ ଓ ସେଚତନତା ସତ୍ତ୍ୱେ କିଭଳି ସେମାନେ ନାମ ରେଜିଷ୍ଟ୍ରେସନ୍‌ କରି ନଥିଲେ ?

JAJPUR-2ଏହି ଉଦାହରଣରୁ ଜାଣନ୍ତୁ ଯେ କରୋନା କିଭଳି ଭାବେ ମଣିଷ ଠାରୁ ମଣିଷକୁ ବ୍ୟାପୁଛି । ସେଥିଲାଗି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏତେ ତତ୍ପର ଓ କଠୋର ହେଉଛନ୍ତି । ହେଲେ ଜନସାଧାରଣଙ୍କ ସହଯୋଗ ନମିଳିଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ପଛେ କମିବ ନାହିଁ । ପ୍ରଶାସନର ସବୁ ଉଦ୍ୟମ ବିଫଳ ହେବା ଓ ଆମେ ନିଜ ପରିବାର ଓ ବନ୍ଧୁ ସମ୍ପର୍କୀୟଙ୍କୁ ରକ୍ଷା କରି ପାରିବା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.