କଟକ: ଆଜିଠୁ ସ୍ୱାଭାବିକ ହେବ ହାଇକୋର୍ଟ । ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ହେବ ଏହି ନିୟମ । ସପ୍ତାହକୁ ୫ ଦିନ କାର୍ଯ୍ୟ କରିବ ହାଇକୋର୍ଟ । ମଙ୍ଗଳବାର ଓ ଗୁରୁବାର ଦୁଇ ଜଣିଆ ଖଣ୍ଡପୀଠ ବସିବାର ଥିବା ବେଳେ ପ୍ରତ୍ୟକ କାର୍ଯ୍ୟ ଦିବସରେ ୫ଟି ଜଣିକିଆ ଖଣ୍ଡପୀଠ ବସିବ । ରେଡ୍ ଜୋନ୍ରେ ଥିବା ଜିଲ୍ଲାର ଅଦାଲତ ଘଣ୍ଟାକ ପାଇଁ କାର୍ଯ୍ୟ କରିବ । ଅରେଞ୍ଜ ଜୋନ୍ରେ ଥିବା ଜିଲ୍ଲାର ଅଦାଲତ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସକାଳୁଆ ହୋଇନଥିବା ଅଦାଲତ ଗୁଡ଼ିକରେ ଦିନ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ ।
ସେହିଭଳି ଗ୍ରୀନ୍ ଜୋନ୍ରେ ଥିବା ଜିଲ୍ଲା ଗୁଡ଼ିକରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ । କୋର୍ଟ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଜଣେ ଅନ୍ୟ ଜଣଙ୍କ ମଧ୍ୟରେ ଦୁଇ ମିଟର ଦୂରତ୍ୱ ପାଳନ କରିବେ । ଅଦାଲତରେ କାର୍ଯ୍ୟ କରୁଥିବା ଅଫିସର ଓ କର୍ମଚାରୀମାନେ ଆରୋଗ୍ୟ ସେତୁ ଆପ୍ ମୋବାଇଲ୍ରେ ଡାଉନଲୋଡ୍ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି ।