ହୋମ କ୍ୱାରେଣ୍ଟାଇନରୁ ଖସି ପଳାଇଲେ କରୋନା ପଜିଟିଭ, କିନ୍ତୁ ଇଆଡ଼େ ଚାଲିଛି ଖୋଜା

ଜୟପୁର (କେନ୍ୟୁଜ): କରୋନା ଯୋଗୁଁ ଦେଶରେ ଲକଡାଉନ ଚାଲିଥିବା ବେଳେ ପ୍ରବାସୀଶ୍ରମିକ ମାନେ ସ୍ପେଶାଲ ଟ୍ରେନ ଯୋଗେଁ ଆସି କ୍ୱାରେଣ୍ଟାଇନରେ ରହୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ସଙ୍ଗରୋଧରେ ରହିବାକୁ ଇଛା ପ୍ରକାଶ କରୁନାହାନ୍ତି । ସେଥିପାଇଁ ଅନେକ ଲୋକ ସଙ୍ଗରୋଧ କେନ୍ଦ୍ରରୁ ଖସି ପଳାଉଥିବା ମଧ୍ୟ ଅଭିଯୋଗ ଆସୁଛି । ତେବେ ନିକଟରେ ଜୟପୁରରୁ ଜଣେ ବ୍ୟବସାୟୀ କ୍ୱାରେଣ୍ଟାଇନରୁ ଖସି ପଳାଇଥିବା ଅଭିଯୋଗ ଆସିଛି । ତେବେ ସବୁଠାରୁ ବଡ କଥା ହେଉଛି ନମୁନା ପରୀକ୍ଷଣ ପାଇଁ ଦିଆଯାଇଥିବା ବେଳେ ବ୍ୟବସାୟୀ ଜଣକ କ୍ୱାରେଣ୍ଟାଇନରୁ ଖସି ପଳାଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ବ୍ୟବସାୟୀ ଜଣକ କିଛିଦିନ ତଳେ ବିଶାଖାପାଟଣାରୁ ଆସିଥିଲେ ଏବଂ ତାଙ୍କୁ ଜୟପୁରରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ନିକଟରେ ତାଙ୍କର ନମୁନା ପରୀକ୍ଷା କରିବାକୁ ମଧ୍ୟ ଦିଆଯାଇଥିଲା । ତେବେ କିଛି ଦିନ ରହିବା ପରେ ସେ କ୍ୱାରେଣ୍ଟାଇନର ନିୟମକୁ ଅଣଦେଖା କରି କାହାକୁ କିଛି ନକହି ବିଶାଖାପାଟଣା ପଳାଇ ଯାଇଛନ୍ତି । ବର୍ତ୍ତମାନ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି । ଏହାପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଟ୍ୱିଟ ମାଧ୍ୟମରେ ସତର୍କ କରାଇଛନ୍ତି । ଆଉ ତାସହିତ ଉକ୍ତ ବ୍ୟକ୍ତିଙ୍କୁ ଖୋଜି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଭାଇଜାଗ କଲେକ୍ଟରଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.