ଦୃଢ ଇଚ୍ଛା ଶକ୍ତି ଥିଲେ ମଣିଷ କିଛି ବି କରିପାରେ। ମନରେ ଅଦମ୍ୟ ସାହସ ଆପଣଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ। ଏମିତି ନିଜର ଲକ୍ଷ୍ୟସ୍ଥଳକୁ ହାସିଲ କରିବା ପାଇଁ ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଚୁଡି ବିକୁଥିବା ବାଳକ ଏବେ ଆଇଏଏସ ଅଫିସର। ଏହି ବାଳକ ଛୋଟବେଳରୁ ୧୦ ବର୍ଷ ପର୍ଯ୍ୟନ୍ତ ମା’ ସହିତ ରାସ୍ତା କଡରେ ଚୁଡି ବିକୁଥିଲେ କିନ୍ତୁ ଆଜି ଏମିତି କିଛି କମାଲ କରି ଦେଖାଇଛନ୍ତି, ଯାହା ବିଷୟରେ ଜାଣିଲେ ହୁଏତ ଆପଣ ଚକିତ ହୋଇଯିବେ। ସେହି ବାଳକ ଆଜି ଦେଶର ଶ୍ରେଷ୍ଠ ଆଇଏଏସ୍ ଅଧିକାରୀ ରୂପେ ଜଣାଶୁଣା।
ମା’ ଏବଂ ପୁଅ ଦିନଯାକ ରାସ୍ତା କଡରେ ଚୁଡି ବିକୁଥିଲେ, କିନ୍ତୁ ସେମାନେ ଯେତିକି ପଇସା ଦିନଯାକ ପରିଶ୍ରମ କରି ରୋଜଗାର କରୁଥିଲେ, ସେମାନଙ୍କ ପଇସା ତାଙ୍କ ବାପା ମଦ ପିଇ ଉଡାଇ ଦେଉଥିଲେ। ଦୁଇ ଓଳି ଦୁଇମୁଠା ଖାଇବା ପାଇଁ ଏହି ଛୋଟ ବାଳକ ନିଜ ମା’ ସହିତ ବହୁତ ସଂଘର୍ଷ କରିଥିଲେ। ମହାରାଷ୍ଟ୍ରରର ସୋଲାପୁର ଜିଲ୍ଲାର ବାରସୀ ତହସିଲ ସ୍ଥିତ ଏକ ଛୋଟ ଗାଁରେ ଜନ୍ମିତ ରମେଶ ଘୋଲପ ଆଜି ଭାରତୀୟ ପ୍ରଶାସନିକ ସେବାରେ ଏକ ଜଣାଶୁଣା ଚେହେରା ଭାବେ ପରିଚିତ।
କିନ୍ତୁ ରମେଶଙ୍କ ପିଲାବେଳ ବହୁତ ଅଭାବ ଏବଂ ସଂର୍ଘଷ ମଧ୍ୟରେ ଗତି କରିଥିଲା। ଦୁଇଓଳି ଦୁଇମୁଠା ଖାଇବା ପାଇଁ ମା ପୁଅ ଦୁହେଁ ରାସ୍ତାକଡରେ ଦିନଯାକ ଚୁଡି ବିକୁଥିଲେ। କିନ୍ତୁ ଯେଉଁ ପଇସା ଏକାଠି କରୁଥିଲେ ବାପା ମଦରେ ଉଡାଇଦେଉଥିଲେ। ବାପାଙ୍କର ଏକ ଛୋଟ ସାଇକେଲ ରିପାୟାର ଦୋକାନ ଥିଲା, ଯେଉଁଥିରେ ବହୁତ କଷ୍ଟରେ ଓଳିଏ ଖାଇବାକୁ ମିଳୁଥିଲା। ଖାଇବା ପାଇଁ ଖାଦ୍ୟ ଏବଂ ରହିବା ପାଇଁ ଘର ସେମାନଙ୍କ ପାଖରେ ନଥିଲା। ଆଉ ପାଠ ପଢିବାକୁ ପଇସା ଆସିବ କେଉଁଠୁ।
ଏପରି ସଂଘର୍ଷମୟ ଜୀବନରେ ମାଟ୍ରିକ ପରୀକ୍ଷାର ଠିକ୍ ୧ ମାସ ପୂର୍ବରୁ ତାଙ୍କ ବାପାଙ୍କ ନିଧନ ହୋଇଯାଇଥିଲା। ରମେଶଙ୍କୁ ଏହି ଦୁଃଖ ଅଧିକ ମାନସିକ ଆଘାତ ଦେଇଥିଲା। କିନ୍ତୁ ପରିସ୍ଥିତି ସହିତ ହାର ମାନିନଥିଲେ ରମେଶ। ସେ ଏପରି ସମୟରେ ମାଟ୍ରିକ ପରୀକ୍ଷା ଦେଇ ୮୮ ପ୍ରତିଶତ ମାର୍କ ରଖିଥିଲେ। ଏହାପରେ ମା’ ନିଜ ପୁଅକୁ ପଢାଇବା ପାଇଁ ସରକାରୀ ଋଣ ଯୋଜନାରେ ଗାଈ କିଣିବା ଉଦ୍ଦେଶ୍ୟରେ ୧୮ ହଜାର ଟଙ୍କା ଲୋନ ଆଣିଥିଲେ।
मैं आईएएस बनकर 8 साल हो गये।माँ आज भी चूड़ियाँ बेचती है।कहती है,’यहीं चूड़ियाँ बेचकर मिले पैसों से तुझे पढ़ाकर कलेक्टर बनवाया है।जबतक हाथ चलेंगे चूड़ियाँ बेचती रहूंगी।’विपरित हालात में जो साथ देते है उनको कभी नहीं भूलना चाहिए।#आक्का https://t.co/RQVo8vXLVp@kenfolios @dckoderma pic.twitter.com/PCtunnzqts
— Ramesh Gholap IAS (@RmeshSpeaks) June 26, 2020
ମା’ଙ୍କ ଏପରି କାମ ଯୋଗୁଁ ପୁଅ ପାଠ ପଢିବା ଏବଂ ଆଇଏଏସ୍ ହେବା ପାଇଁ ପୁନେ ପହଞ୍ଚିଥିଲେ। ସେଠାରେ ରହି କଠିନ ପରିଶ୍ରମ କରି, ରାତି ରାତି ଅନିଦ୍ରା ହୋଇ ପାଠ ପଢିଥିଲେ। ଏହାସହିତ ପଇସା ଯୋଗାଡ କରିବା ପାଇଁ ରାତିରେ ପାଠ ପଢିବା ସହିତ ଦିନରେ ନିର୍ବାଚନୀ ପ୍ରଚାର କରିବା, ବିବାହରେ ପେଣ୍ଟିଂ କରିବା, ଦୋକାନ କାମ ଇତ୍ୟାଦି କରୁଥିଲେ। ଆଇଏଏସ୍ ହେବାର ପ୍ରଥମ ପ୍ରୟାସରେ ବିଫଳତା ହାସଲ କରିଥିଲେ କିନ୍ତୁ ହାରିନଥିଲେ। ପୁଣି ୨୦୧୧ ରେ ୟୁପିଏସସି ପରୀକ୍ଷା ଦେଇ ୨୮୭ ତମ ସ୍ଥାନ ହାସିଲ କରିଥିଲେ। କେବଳ ଏମିତି ନୁହେଁ, ରମେଶ ରାଜ୍ୟ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇଥିଲେ।
୨୦୧୨ ମଇ ୪ ତାରିଖରେ ଆଇଏଏସ୍ ହେବା ପରେ ପ୍ରଥମ ଥର ପାଇଁ ନିଜ ଗାଁକୁ ଫେରିଥିଲେ। ଯେଉଁଠି ସେ ରାସ୍ତା କଡରେ ବସି ଚୁଡି ବିକୁଥିଲେ। ଗାଁ ଲୋକେ ତାକୁ ଦେଖି ଜୋରଦାର ସ୍ୱାଗତ କରିଥିଲେ। ଏବେ ସେ ଝାଡଖଣ୍ଡର କଡୋରମା ଜିଲ୍ଲାର କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ ତାଙ୍କ ମା’ ଏଯାଏଁ ମଧ୍ୟ ଚୁଡି ବିକୁଛନ୍ତି। ସେ କହିଛନ୍ତି, ଏହି ଚୁଡି ବିକି ମୋ ପୁଅ କଲେକ୍ଟର ହୋଇଛି, ତେଣୁ ଯେପର୍ଯ୍ୟନ୍ତ ଏ ହାତ ଚାଲୁଥିବ ଚୁଡି ବିକୁଥିବି। ସତରେ ରମେଶଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଏବଂ ଅଦ୍ୟମ ସାହସ ତାଙ୍କୁ ଆଜି ଏଠାରେ ପହଞ୍ଚାଇପାରିଛି। ଯେଉଁଥିପାଇଁ ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।