ନିଜ କ୍ୟାରିୟରରେ ୩୦-୪୦ଟି ଫିଲ୍ମକୁ ଛାଡ଼ିଛନ୍ତି ସୁଶାନ୍ତ ସିଂହ ରାଜପୁତ, ନିକଟତମ ବନ୍ଧୁ କଲେ ଖୁଲାସା

ଡିପ୍ରେସନ୍‌ ଯୋଗୁ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନ୍ୟ କାରଣ ଥିବା ଆଲୋଚନା ହେଉଛି। ବଡ଼ ବ୍ୟାନର ଫିଲ୍ମରୁ ତାଙ୍କୁ ବାହାର କରାଯାଇଥିବାରୁ ସେ ଡିପ୍ରେସନ୍‌ରେ ଥିବା ଅଭିଯୋଗ ହେଉଛି। ତେବେ ଇତି ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ ତଥା ଫିଲ୍ମ ନିର୍ମାତା ସନ୍ଦୀପ ସିଂହ ଏକ ନୂଆ ଖୁଲାସା କରିଛନ୍ତି।

ସନ୍ଦୀପ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ୬-୭ଟି ଫିଲ୍ମରୁ ବାହାର କରିଦିଆଯାଇଥିଲା। ଏଥିପାଇଁ ସେ ଡିପ୍ରେସନ୍‌ରେ ଥିଲେ। କିନ୍ତୁ ଅଧିକାଂଶ ଲୋକ ଜାଣିନଥିବେ ଯେ ସୁଶାନ୍ତ ନିଜ କ୍ୟାରିୟରରେ ପ୍ରାୟ ୩୦-୪୦ ଟି ଫିଲ୍ମ ନିଜେ ଛାଡ଼ିଥିଲେ। ଜଣେ କଳାକାରଙ୍କୁ ଅନେକ ଫିଲ୍ମ ମିଳେ ସେଥିରୁ କିଛି ସେମାନେ କରନ୍ତି ଓ କିଛି ଛାଡ଼ନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହା ଏକ ସାଧାରଣ କଥା ବୋଲି ସନ୍ଦୀପ କହିଛନ୍ତି।

ସୁଶାନ୍ତଙ୍କୁ ବଡ଼ ବ୍ୟାନର ସହ କାମ କରିବାର ସୁଯୋଗ ମିଳିନଥିବା କୁହାଯାଉଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ଏଭଳି ହୋଇଥାନ୍ତି ତେବେ ସେ ଆଦିତ୍ୟ ଚୋପ୍ରାଙ୍କ ସହ ଦୁଇଟି, କରନ ଜୋହର ଓ ନୀତିଶ ତିଓ୍ଵାରୀଙ୍କ ଭଳି ବଡ଼ ଡାଇରେକ୍ଟରଙ୍କ ସହ ଗୋଟିଏ ଲେଖାଏଁ ଫିଲ୍ମ କେମିତି କାମ କରିଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଣୁ ଫ୍ୟାନ୍‌ଙ୍କୁ ତଦନ୍ତ ଶେଷ ହେବା ଯାଏଁ ଅପେକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ପଛରେ ଆଉ କିଛି କାରଣ ଥାଇପାରେ ବୋଲି ସେ କହିଛନ୍ତି। ସନ୍ଦୀପ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ଓ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କ ଭାଙ୍ଗିବା ପରେ ଉଭୟେ ଦୁଃଖୀ ଥିଲେ। ସେହି ସମୟରେ ଅଙ୍କିତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ଯଦି ଅଙ୍କିତା ଓ ସୁଶାନ୍ତ ଏକାଠି ଥାଆନ୍ତେ ତେବେ ବୋଧେ ହୁଏ ସୁଶାନ୍ତ ଆତ୍ମହତ୍ୟା କରିନଥାନ୍ତେ ବୋଲି କହିଛନ୍ତି ସନ୍ଦୀପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.