ପଞ୍ଜାବ : ଭାରତୀୟ ସୀମା ସୂରକ୍ଷା ବାହିନୀ(ବିଏସ୍ଏଫ୍)ର ଯବାନଙ୍କୁ ଆଜି ଚୋରା ଚାଲାଣ ରୋକିବାରେ ବଡ଼ ସଫଳତା ମିଳିଛି । ପାକିସ୍ତାନରୁ ପଞ୍ଜାବ ସୀମା ଦେଇ ଚାଲାଣ ହେଉଥିବା ପ୍ରାୟ ୬୪ କେଜି ହେରୋଇନ୍କୁ ବିଏସ୍ଏଫ୍ ଯବାନମାନେ ଗୁରୁଦାସପୁରରୁ ଜବତ କରିଛନ୍ତି ।
ଯାହାର ମୂଲ୍ୟ ପ୍ରାୟ ୩୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ତେବେ ଚାଲାଣକାରୀମାନେ ଖସି ଯାଇଥିବା ଜଣାପଡ଼ିଛି । ଏହି ହେରୋଇନକୁ ପାକିସ୍ତାନରୁ ପଠାଯାଇଥିବା ନେଇ ବିଏସଏଫ ସୂଚନା ଦେଇଛି । ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ପଞ୍ଜାବର ସୀମା ଅତ୍ୟନ୍ତ ସମ୍ବେଦନଶୀଳ ।
ବିଏସଏଫ ଡିଜି ରାଜେଶ ଶର୍ମାଙ୍କ ଅନୁଯାୟୀ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ଅଞ୍ଚଳରେ ରାବି ନଦୀ ମାଧ୍ୟମରେ ହେରୋଇନ ପଠାଯାଇଥିଲା । କେହି ଯେପରି ସନ୍ଦେହ ନ କରିବେ ତେଣୁ ତାଙ୍କୁ ଏକ ଲମ୍ବା ବ୍ୟାଗରେ ରଖାଯାଇଥିଲା । ଏଥିସହ, ଫୁଟବଲର ୬୦ ଟି ବିଭିନ୍ନ ବ୍ଲାଡରରେ ୬୦ ଟି ପ୍ୟାକେଟ୍ କରାଯାଇ ଭର୍ତ୍ତି କରାଯାଇ ଥିଲା ବୋଲି ଜଣାପଡ଼ିଛି ।