ନୂଆଦିଲ୍ଲୀ : ‘କଥାରେ ଅଛି ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।’ ଚୀନ୍ ତା’ର ଖରାପ ମନୋଭାବରୁ କେବେ ବି ବିରତ ହେବ ନାହିଁ । ଏଲ୍ଏସିରୁ ସେନା ହଟାଉଥିବା କଥା କହୁଥିବା ଚୀନ୍ ଏବେ ପୁଣି ଥରେ ଭାରତ-ନେପାଳ ସୀମା ଲିପୁଲେଖ ଠାରେ ସେନା ମୁତୟନ କରିବାରେ ଲାଗିଛି । ଭାରତ ବିରୋଧର ଲଗାତାର ବୟାନବାଜୀ କରୁଥିବା ନେପାଳ ଏବେ ଚୀନ୍ ସହିତ ମିଶି ଏହି ନୂଆ ଚାଲ୍ କରିଛି ।
ନେପାଳ ନିକଟରେ ଲିପୁଲେଖକୁ ନିଜର ଦାବି କରି ତା’ର ରାଜନୈତିକ ମାନଚିତ୍ରରେ ସ୍ଥାନ ଦେବା ପରେ ଏହାକୁ ଭିତ୍ତି କରି ଚୀନ୍ ପୁଣି ଏକ ଚାଲ୍ ଖେଳିଛି । ଲିପୁଲେଖରେ ଚୀନ୍ ହଜାର ହଜାର ସେନା ମୁତୟନ କରିଛି । ଗୋଟିଏ ପଟେ ଲଦାଖ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ଶାନ୍ତି ବଜାୟ ରଖିବାକୁ ଘୋଷଣା କରୁଛି । ଲିପୁଲେଖ ବାସ୍ତବିକ ନିୟନ୍ତ୍ରଣ ରେଖା ଅତି ନିକଟରେ ଥିବାରୁ ଚୀନ୍ ଏହିଠାରୁ ଭାରତକୁ ଘେରିବାକୁ ଯୋଜାନା କରୁଛି ।
ଏକ ରିପୋର୍ଟ ଅନୁଯାୟୀ ଭାରତ ସୀମା ନିକଟସ୍ଥ ଚୀନ୍ ଇଲାକାରେ ପ୍ରାୟ ୪୦ ହଜାରରୁ ଅଧିକ ସେନା ଚୀନ ମୁତୟନ କରିଛି । ଚୀନ୍ର ଏହି ଚାଲ୍କୁ ଲକ୍ଷ୍ୟ କରି ଭାରତ ମଧ୍ୟ ସୀମାରେ ଚୀନ୍ ସେନାଙ୍କ ବରାବର ସେନା ମୁତୟନ କରିଥିବା ଜଣାଯାଇଛି । ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏଲ୍ଏସି ନିକଟ ଲିପୁଲେଖ, ଅରୁଣାଚଳ ପ୍ରଦେଶ ଓ ନର୍ଥ ସିକିମ୍କୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ଚୀନ୍ ସେନା ବଢ଼ାଇବାରେ ଲାଗିଛି ।
୪ ଥର କମାଣ୍ଡରସ୍ତରୀୟ ଆଲୋଚନା ପରେ ବି ସୀମା ଉତ୍ତେଜନା ନେଇ କୈାଣସି ସମାଧାନର ସୂତ୍ର ବାହାରିନାହିଁ । ଭାରତ ସବୁ ଦିଗରୁ ଚୀନ୍ ଉପରେ ସତର୍କ ଦୃଷ୍ଟ ରଖିଛି । ନିକଟରେ ଭାରତ ୬୫ ହଜାର ସେନା ଏଲ୍ଏସି ନିକଟ ସୀମାରେ ମୁତୟନ କରିଥିବା ଜଣାପଡ଼ିଛି । ଭାରତ-ଚୀନ୍ ମଧ୍ୟରେ ଏବେ ନେପାଳ ନିଆଁ ଉପରେ ଘିଅ ଢ଼ାଳିବା କାର୍ଯ୍ୟ ଆରମ୍ଭ କରିଛି । ନେପାଳର ଏଭଳି ଆଚରଣ ଭାରତ-ନେପାଳର ଦୀର୍ଘ ଦିନର ସମ୍ପର୍କରେ ଭଟ୍ଟା ପକାଇଛି ।