ଏଲ୍ଓସିରେ ପାକ୍ର ଅତର୍କିତ ଆକ୍ରମଣ : ଜଣେ ଭାରତୀୟ ଯବାନ ସହିଦ, ପାଲଟା ଆକ୍ରମଣରେ ପାକ୍ର ୨ ପୋଷ୍ଟ ଧୂଳିସାତ ଓ ୪ ପାକ୍ ସେନା ମୃତ
ଜମ୍ମୁ : ବାଲାକୋଟ ନିକଟ ଏଲ୍ଓସିରେ ପାକ୍ ସେନାଙ୍କ ଅତର୍କିତ ଗୁଳି ଗୋଳା ଓ ମୋଟାର ମାଡ଼ ଯୋଗୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଭାରତର ପାଲଟା ଆକ୍ରମଣରେ ପାକ୍ର ଦୁଇଟି ପୋଷ୍ଟ ଧୂଳିସାତ ହେବା ସହ ପୋଷ୍ଟରେ ଥିବା ୪ରୁ ୫ ଜଣ ପାକ୍ ସେନା ନିହତ ହୋଇଥିବା ଆଶଙ୍କା କରାଯାଉଛି ।
ସହିଦ ହୋଇଥିବା ଯବାନ ହେଲେ ୧୪ ପଞ୍ଜାବ ରେଜିମେଣ୍ଟର ରୋଶନ କୁମାର ବୋଲି ସେନା ପ୍ରବକ୍ତା ଲେପ୍ଟେନେଣ୍ଟ କର୍ଣ୍ଣଲ୍ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି । ହିମାଚଳ ପ୍ରଦେଶ ହମିରପୁର ଜିଲ୍ଲା ନିବାସୀ କୁମାର ୨୦୧୬ରେ ୧୪ ପଞ୍ଜାବ ରେଜିମେଣ୍ଟରେ ସାମିଲ୍ ହୋଇଥିଲେ । ଆସନ୍ତା ନଭେମ୍ବର ମାସରେ ତାଙ୍କର ବିବାହ ହେବାର ଥିଲା ।
କୁମାରଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କର୍ଣ୍ଣଲ ଆନନ୍ଦ କହିଛନ୍ତି । ଭାରତୀୟ ଯବାନମାନେ ପାକ୍ର ଏହି ବଦ୍ମାସୀର ଉଚିତ୍ ଜବାବ ଦେଇଛନ୍ତି । ଏଥିସହିତ କୁପଓ୍ଵାରା ଏଲ୍ଓସି ନିକଟ ମଛ୍ଲେ ସେକ୍ଟରରେ କିଛି ଆତଙ୍କବାଦୀଙ୍କ ସହ ଯବାନ୍ମାନଙ୍କ ସଂଘର୍ଷ ଚାଲିଥିଲା । ତେବେ ଅନ୍ଧାରର ଫାଇଦା ନେଇ ସେମାନେ ଖସି ପଳାଇଥିଲାବେଳେ ଯବାନମାନେ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।