ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକର ବୀଣାପାଟିଆ ଗାଁର ଚାରି ଅସହାୟ ଶିଶୁଙ୍କର ଶିକ୍ଷା ଓ ସୁରକ୍ଷା ନିମନ୍ତେ ସହଯୋଗର ହାତ ବଢ଼ାଇଚି କିସ୍। ଅସହାୟ ଶିଶୁ ମାନଙ୍କ ବାପା ରବୀନ୍ଦ୍ର ଏକ ହତ୍ୟା ଜନିତ ମାମଲାରେ ଦୋଷୀ ସାବ୍ଯସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବେଳେ ମା ସେହି ଦିନଠାରୁ ଶିଶୁ ମାନଙ୍କୁ ଛାଡି କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ପିତା ମାତାଙ୍କ ବିନା ଅସହାୟ ଶିଶୁ ମାନେ ଅତି ଦୁଃଖ କଷ୍ଟରେ ରହୁଥିବା ବେଳେ ସାନ ଭଉଣୀ ସିତା ଅନ୍ଯ ଭାଇଭଉଣୀଙ୍କର ଲାଳନ ପାଳନ ଓ ପଢ଼ାର ଦାଇତ୍ୱ ବୁଝିବାକୁ ନିଜର ପାଠପଢାରେ ଡୋରି ବାନ୍ଧି ଦୈନିକ ମୂଲ ମଜୁରୀ ଲାଗୁଥିଲେ। ତେବେ କିଛିଦିନ ପୂର୍ବରୁ ଏହି ଖବର ପ୍ରସାରଣ ହେବା ପରେ ଶିଶୁ ମାନଙ୍କର ସୁରକ୍ଷା ଓ ଭବିଷ୍ଯତ ଉପରେ ଗୁରୁତ୍ୱକୁ ଉପଲବ୍ଧି କରି ମାନବିକତାର ହାତ ବଢାଇଛନ୍ତି କିସର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ।
କିସ ପ୍ରତିଷ୍ଠାନ ପକ୍ଷରୁ ସାନ ଦୁଇ ଭାଇ ମିଥୁନ ଓ ରାହୁଲଙ୍କୁ କିସରେ ପଢିବା ପାଇଁ ପ୍ରତିଶ୍ରୁତି ପତ୍ର ଦେବା ସହିତ ଶିଶୁ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡକ୍ଟର ଅଚ୍ଯୁତ ସାମନ୍ତ। ବର୍ତ୍ତମାନର କୋଭିଡ ଭଳି ସଙ୍କଟ ଜନକ ପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖାଯାଇଥିବା ବେଳେ ବିଦ୍ୟାଳୟ ଖୋଲିଲେ ଶିଶୁ ମାନଙ୍କ ଶିକ୍ଷାରେ ପ୍ରବେଶ କରାଯିବ ବୋଲି ପ୍ରକାଶ କରିବା ସହିତ ବର୍ତ୍ତମାନଠାରୁ ବିଦ୍ୟାଳୟ ପ୍ରବେଶ ପର୍ଯ୍ଯନ୍ତ ଅସହାୟ ଶିଶୁ ମାନଙ୍କର ପ୍ରତିପୋଷଣ ନିମନ୍ତେ ମାସିକ ୩୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଛନ୍ତି।
ଏଥି ସହିତ ଅକ୍ଟୋବର ମାସ ପାଇଁ ଆନନ୍ଦପୁର ପ୍ରତିନିଧିଙ୍କ ମାଧ୍ୟମରେ ପରିବାରକୁ ଭେଟି ପ୍ରତିଶୃତି ପତ୍ର ସମେତ ୩୦୦୦ ଟଙ୍କା ନଗଦ ଅର୍ଥରାଶିର ସହାୟତା ପ୍ରଦାନ କରିଛନ୍ତି। ଏହା ଦ୍ୱାରା ଶିଶୁ ମାନଙ୍କ ମୁଖରେ ହସ ଫେରି ଆସିବା ସହିତ ପରିବାର ରେ ଆନନ୍ଦ ଖେଳିଛି। ସ୍ଥାନୀୟ ଗ୍ରାମବାସୀ ଡକ୍ଟର ସାମନ୍ତଙ୍କ ବଦାନ୍ଯତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।