ଏବେ ମାତ୍ର ୨୦ ଟଙ୍କାରେ ବିଶୋଧନ କରିପାରିବେ ପିଇବା ପାଣି, କର୍ଣ୍ଣାଟକର ଯୁବ ଇଞ୍ଜିନିୟର ଉଦ୍ଭାବନ କଲେ ପକେଟ ସାଇଜ ୱାଟର ପ୍ଯୁରିଫାୟର
ପାଣି, ସମଗ୍ର ସୃଷ୍ଟିର ପ୍ରାଣବିନ୍ଦୁ। କଥାରେ ଅଛି ଜଳ ବହୁଳ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। କେବଳ ମଣିଷ ନୁହେଁ, ଜୀବଜଗତ ହେଉ ଅବା ଉଦ୍ଭିଦ ଜଗତ ସବୁ ପାଣି ଆବଶ୍ଯକ ପାଣି। ମଣିଷ ଶରୀରରେ ୭୦ ଭାଗ ଜଳ ରହିଥାଏ। ଆଉ ଏହି ପାଣି ଶରୀରରେ ଅଭାବ ହେଲେ ଅନେକ ପ୍ରକାର ରୋଗ ଦେଖାଯାଏ। କିନ୍ତୁ ସବୁବେଳେ ସବୁ ସ୍ଥାନରେ ବିଶୁଦ୍ଧ ଏବଂ ସ୍ବଚ୍ଛ ପାଣି ମିଳିବା ମଧ୍ୟ ସମ୍ଭବ ନୁହେଁ। କିନ୍ତୁ ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କର୍ଣ୍ଣାଟକର ଜଣେ ଇଂଜିନିୟରିଂ ଛାତ୍ର। ଯିଏକି ତିଆରି କରିଛନ୍ତି ଦୁନିଆର ସବୁଠୁ କମ୍ ଦାମର ୱାଟର ପ୍ଯୁରିଫାୟର।
କର୍ଣ୍ଣାଟକର ଇଂଜିନିୟରିଂ ଛାତ୍ର ନିରଞ୍ଜନ କାର୍ଗି। ସେ ଏବେ ଚତୁର୍ଥ ବର୍ଷର ଇଂଜିନିୟରିଂ ଛାତ୍ର। ସେ ଯେତେବେଳେ ସ୍କୁଲରେ ପାଠ ପଢୁଥିବା ପିଲାମାନେ ବାହାରେ ପାଣି ପିଉଥିବାର ଦେଖିଥିଲେ, ତାଙ୍କ ମନରେ ଅନେକ ପ୍ରଶ୍ନ ଆସିଥିଲା। ପିଲାମାନେ କିଭିଳି ସ୍ବଚ୍ଛ ପାଣି ପାଇପାରିବେ ସେ ନେଇ ତାଙ୍କ ମନରେ ପ୍ରଶ୍ନ ଆସିଥିଲା। ସେ ବହୁତ ରିସର୍ଚ୍ଚ କରିବା ପରେ ମଧ୍ୟ ଶସ୍ତା ୱାଟର ପ୍ଯୁରିଫାୟର ଖୋଜି ପାଇନଥିଲେ। ସେବେ ଠୁ ସେ ସବୁଠୁ କମ୍ ଦାମରେ କିଭଳି ୱାଟର ପ୍ଯୁରିଫାୟର ତିଆରି ହୋଇପାରିବ ଏବଂ ସମସ୍ତଙ୍କୁ ଶୁଦ୍ଧ ପାଣି ମିଳିବ ତାହା ନେଇ ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଥିଲେ।
ତେଣୁ ସେ ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ଆରମ୍ଭ କଲେ ପ୍ରସ୍ତୁତି। ପ୍ରଥମେ ରିସର୍ଚ୍ଚ ଆରମ୍ଭ କଲେ, ଆଉ ବହୁତ ସାଧାରଣ ଡିଜାଇନରେ ପ୍ରସ୍ତୁତ କଲେ ଏକ ପଜେଟ ସାଇଜ ଏବଂ ଶସ୍ତା ୱାଟର ପ୍ଯୁରିଫାୟର। ଯାହାର ନାମ ‘ନିରନଲ୍’, ଆଉ ଏହାର ଦାମ୍ ମାତ୍ର ୨୦ ଟଙ୍କା। କାର୍ଗି ଏଥିପାଇଁ ଆକ୍ଟିଭେଟେଡ୍ କାର୍ବନ, କଟନ, ନେଟ୍ ଜାତୀୟ ଜିନିଷ ଏବଂ ଏକ ଗୋପନୀୟ ପଦାର୍ଥ ବ୍ଯବହାର କରିଥିଲେ। ଏହି ପକେଟ ଫ୍ରେଣ୍ଡଲୀ ୱାଟର ପ୍ଯୁରିଫାୟରକୁ ଆପଣ କୌଣସି ସ୍ଥାନକୁ ଅତି ସହଜରେ ନେଇ ଯାଇପାରିବେ। ତାହା ବସ ଷ୍ଟାଣ୍ଡ ହେଉ ଅବା ରେଲୱେ ଷ୍ଟେସନ। ଏହାକୁ ବ୍ଯବହାର କରିବା ପାଇଁ ଯେକୌଣସି ପାଣି ବୋତଲ ମୁହଁରେ ଲଗାଇ ସଫା ଏବଂ ବିଶୁଦ୍ଧ ପାଣି ପାଇପାରିବେ। ଗୋଟେ ନିରନଲ୍ ପାଖାପାଖି ୩୦୦ ଲିଟର ପାଣି ପ୍ଯୁରିଫାଏ କରିପାରିବ।
ତେଣୁ ଗ୍ରାମାଞ୍ଚଳକୁ ଯାଇ ବିଭିନ୍ନ ସରକାରୀ ସ୍କୁଲ ବୁଲି ଗୋଟେ ବର୍ଷ ଭିତରେ ୮ ହଜାରରୁ ଊର୍ଦ୍ଧ୍ବ ୟୁନିଟ ବିକ୍ରି କରିଛନ୍ତି। ବହୁତ ଶସ୍ତା ହୋଇଥିବାରୁ ଲୋକେ ମଧ୍ୟ କିଣି ନେଇପାରୁଛନ୍ତି। ଭାରତରେ ଏପର୍ଯ୍ଯନ୍ତ ୨ ଲକ୍ଷରୁ ଅଧିକ ୟୁନିଟ ବିକ୍ରି ହୋଇଥିବା ବେଳେ ବିଦେଶକୁ ରପ୍ତାନୀ ମଧ୍ୟ ହେଉଛି। ଏହାଛଡା ବିଦେଶରେ ଯେପରିକି କତାର, ଆମେରିକା, ସିଙ୍ଗାପୁର, ମାଲେସିଆ ଭଳି ୧୫ଟି ଦେଶକୁ ମଧ୍ୟ ସପ୍ଲାଏ କରୁଛନ୍ତି। ତାଙ୍କ ଏପରି କାର୍ଯ୍ଯକୁ କର୍ଣ୍ଣାଟକ ସରକାର ପ୍ରଶଂସା କରିଛନ୍ତି। ଏଥିରୁ ସେ ୨୦ ଲକ୍ଷ ଟଙ୍କା ରୋଜଗାର କରି ଏବେ ନିଜର ଏକ ସଂସ୍ଥା ଖୋଲିଛନ୍ତି। ଆଉ ଏଠାରୁ ପ୍ରତିଦିନ ନିରନଲ୍ ସପ୍ଲାଏ ହେଉଛି। ସିଆରପିଏଫ କମାଣ୍ଡୋ, ଭାରତୀୟ ସେନା ଏବଂ ନୌସେନା ପକ୍ଷରୁ ବ୍ଯବହାର କରାଯାଉଛି।
ଏବେ ନିରଞ୍ଜନଙ୍କର ଆଉ ଏକ ସ୍ବପ୍ନ ରହିଛି। ସେ ଆଉ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି। କିଭଳି ସମୁଦ୍ର ଜଳକୁ ପାନୀୟ ଉପଯୋଗୀ କରିପାରିବେ, ତା’ ଉପରେ କାମ କରୁଛନ୍ତି।