ଘଟଗାଁ : ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର । ମା’ଙ୍କ ଦର୍ଶନ ନେଇ ତାରିଣୀ ମନ୍ଦିର ପ୍ରଶାସନ ଗାଇଡ ଲାଇନ ଜାରି କରିଛି । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ସାଧାରଣ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ମିନିଟ୍ ଯାଏ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ କରାଯାଇଛି । ଭକ୍ତମାନେ ୩ ନମ୍ବର ଗେଟରେ ପ୍ରବେଶ କରି ସାନିଟାଇଜ ହୋଇ ସାମାଜିକ ଦୂରତା ରକ୍ଷା କରି ଧାଡିରେ ମନ୍ଦିର ପ୍ରବେଶ କରୁଛନ୍ତି ।
ମନ୍ଦିର ବେଢାରେ ୨୫ ଜଣରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ । କୌଣସି ଭକ୍ତ ପାଦୁକା ସେବନ କରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ । ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶ ବାରଣ କରାଯାଇଛି । ଏଥି ସହିତ ଚୂଳ ସମର୍ପଣ ବନ୍ଦ କରାଯାଇଥିବାରୁ କୌଣସି ଭକ୍ତଙ୍କୁ ଚୂଳ ସମର୍ପଣ କରିବା ନିମନ୍ତେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସବୁ ନିୟମ ମାନି ଭକ୍ତ ମାନେ ମା ତାରିଣୀଙ୍କ ଦର୍ଶନ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି। ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।