ମୁମ୍ବାଇ : ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ଏକ ରାୟରେ କହିଛନ୍ତି ଯେ କେବଳ ଯୌନ ଶୋଷଣ ଇଚ୍ଛା ଥାଇ ଜଣକର ଚର୍ମକୁ ଚର୍ମ ସ୍ପର୍ଶ କଲେ ଏହାକୁ ଯୌନ ଶୋଷଣ ଭାବେ ଗ୍ରହଣ କରାଯିବ । ହେଲେ ବିନା ଚର୍ମ ସ୍ପର୍ଶରେ କେବଳ ଜବରଦସ୍ତ ଛୁଇଁବାକୁ ଯୌନ ଶୋଷଣ ମାମଲା ଭାବେ ଗ୍ରହଣ କରାଯିବ ନାହିଁ ବୋଲି କହି ଏକ ମାମଲାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।
ଜଣେ ନାବାଳିକାକୁ ଯୌନ ଶୋଷଣ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଜେଲ୍ ଦଣ୍ଡ ହୋଇଥିବା ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ହାଇକୋର୍ଟ ଆହୁରି କହିଛନ୍ତି ଯେ କେବଳ ଜଣେ ନାବାଳିକାର ଛାତିକୁ ଛୁଇଁବା ଯୌନ ଉତ୍ପୀଡନ ମାମଲା ଅନ୍ତର୍ଭୁକ୍ତ ହେବ ନାହିଁ । ଯଦି ଅଭିଯୁକ୍ତ ନାବାଳିକାର ପୋଷାକ ନ ଓହ୍ଲାଇଛି କିମ୍ବା ତା’ର ପୋଷାକ ଭିତରେ ହାତ ପୁରାଇ ଶରୀରକୁ ନ ଛୁଇଁଛି ତା’କୁ ଯୌନ ଶୋଷଣ ମାମଲା ଭାବେ ଧରାଯିବ ନାହିଁ ।
ଜଷ୍ଟିସ୍ ପୁଷ୍ପା ଗାନେଡିଓ୍ଵାଲା ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ପୋସ୍କୋ ଆକ୍ଟ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଯୌନ ସଂଭୋଗ ଇଚ୍ଛା ରଖି ଶିଶୁର ଗୁପ୍ତାଙ୍ଗକୁ ଛୁଇଁବା କିମ୍ବା ଶିଶୁକୁ ତାଙ୍କ ଗୁପ୍ତାଙ୍ଗ ଛୁଇଁବାକୁ ବାଧ୍ୟ କରିବା ଘଟଣାକୁ ଅପରାଧ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଏହି ଅଭିଯୁକ୍ତଙ୍କ ମାମଲାରେ ସେମିତି କିଛି କରାଯାଇ ନଥିବାରୁ ଯୌନ ଶୋଷଣ ପରିବର୍ତ୍ତେ ବାଳିକାର ଲଜ୍ଜା ଭାଙ୍ଗିଥିବା ଧାରା ଆଇପିସି ସେକ୍ସନ୍ ୩୫୪ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ।
ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ଏକ ଝିଅକୁ ପିଜୁଳି ଦେବାକୁ କହି ତାଙ୍କ ଘରକୁ ନେଇ ଯାଇଥିଲା । ଝିଅର ମା’ ଯେତେବେଳେ ସେଠାରେ ପହଞ୍ଚିଲା ଝିଅଟି କାନ୍ଦୁଥିବା ଦେଖିବାକୁ ପାଇଥିଲେ । ଝିଅଟି ଠାରୁ ସବୁ କଥା ଶୁଣି ମା’ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ବ୍ୟକ୍ତିକୁ ଯୌନ ଶୋଷଣ ମାମଲାରେ ଜେଲ୍ ପଠାଇଥିଲା ।