ଘନ ସବୁଜ ବନାନୀ ନଭଶ୍ଚୁମି ପାହାଡ ସହିତ କୁଳୁକୁଳୁ ନାଦର ଝରଣା। ଲାଗେ ଯେମିତି ସ୍ରଷ୍ଟାଙ୍କ ପ୍ରାକୃତିକ ସୌନ୍ଦର୍ଯ୍ଯ ସବୁ ଏଠାରେ ହିଁ ଅଜାଡି ହେଇ ପଡିଛି। ଅନେକ ସମୟରେ ଏଭଳି ମନୋରମ ପରିବେଶ ଓ ମା’ ଗଡ଼ଚଣ୍ଡୀଙ୍କ ଆଶୀର୍ବାଦ ଟିକିଏ ପାଇଁ ପର୍ଯ୍ଯଟକମାନେ ଧାଇଁ ଆସନ୍ତି ଏହି ଗଡ଼ଚଣ୍ଡୀ ପୀଠକୁ। ଆଜି ଆସନ୍ତୁ ବୁଲିଯିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବଉଳା ପାହାଡ ପାଦ ଦେଶରେ ଅବସ୍ଥିତ ମା’ ଗଡ଼ଚଣ୍ଡୀ ପୀଠକୁ।
ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର-ଭଦ୍ରକ ରାସ୍ତାର ଛେନାପଦୀ ଠାରୁ ୮ କିଲୋମିଟର ହଦଗଡ଼ ରାସ୍ତାରେ ଗଲେ ପଡ଼େ ମା’ ଗଡ଼ଚଣ୍ଡୀ ଙ୍କ ପୀଠ। ବଉଳା ପାହାଡ ପାଦ ଦେଶରେ ମା’ ଗଡ଼ଚଣ୍ଡୀ ଅଷ୍ଟଭୂଜା ଦୁର୍ଗା ରୂପରେ ପୂଜା ପାଉଛନ୍ତି। ପାର୍ଶ୍ୱରେ ଗଣେଶ ଓ ଶିବ ପୂଜା ପାଉଛନ୍ତି। ଏହି କ୍ଷେତ୍ରଟି ଉଭୟ ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ସମ୍ମିଳନୀ ଥିଲା ବୋଲି ଐତିହାସିକମାନେ ବିଭିନ୍ନ ସମୟରେ ପ୍ରକାଶ କରିଛନ୍ତି। ଗଡ଼ଚଣ୍ଡୀ ପୀଠଟି ନଭଶ୍ଚୁମ୍ବୀ ପାହାଡ ସାଙ୍ଗକୁ ସୁନାଘାଇ ଝରଣାର କୁଳୁକୁଳୁ ନାଦ ବର୍ଷରେ ସବୁ ସମୟରେ ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିଥାଏ ।
ସବୁଠାରୁ ଅଧିକ ଆଶ୍ଚର୍ଯ୍ଯ କରେ ମା’ଙ୍କ ଆସ୍ଥାନ ପଛ ପଟେ ଥିବା ଗୁମ୍ଫା। ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ, ଏହି ଗୁମ୍ଫାକୁ ଯେ କେହି ବି ଯାଇଛି ସେ ଆଉ ଜୀବନ ନେଇ ଫେରିନି। ମାତ୍ର ଐତିହାସିକ କୁହନ୍ତି ଏହା ଏକ ବିରାଟ ସୁଡଙ୍ଗ। ଅନ୍ଯ ରାଜାଙ୍କ ଆକ୍ରମଣରୁ ବଞ୍ଚିବା ନିମନ୍ତେ ଏହାକୁ ନିର୍ମାଣ କରିଥିଲେ ହେଲେ ଏବେ ଏହା ଜଙ୍ଗଲର ବିଷାକ୍ତ ଜନ୍ତୁରେ ପରିପୂର୍ଣ୍ଣ ହୋଇଥିବାରୁ ଗୁମ୍ଫାର ମୁହଁକୁ ବନ୍ଦ କରିଦିଆ ଯାଇଛି।
କିମ୍ବଦନ୍ତୀ କହେ ଷୋଡଶ ଶତାବ୍ଦୀ ସମୟରେ ଏ ଅଞ୍ଚଳକୁ ସିଙ୍ଗିଡି ଗଡ କୁହାଯାଉଥିଲା ଏବଂ ଏଠାରେ ସିଂଘ ବଂଶ ରାଜୁତି କରୁଥିଲେ। କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜ ଆନନ୍ଦପୁର ଗଡଜାତକୁ ନିଜ ରାଜ୍ଯରେ ମିଶାଇବା ପାଇଁ ଯେତେଥର ଯୁଦ୍ଧ କଲେ ସିଂଘ ବଂଶ ରାଜାକୁ ପରାସ୍ତ କରିପାରୁନଥିଲେ । କେନ୍ଦୁଝର ରାଜା ମା’ ଗଡ଼ଚଣ୍ଡୀଙ୍କ ପାଖରେ ଶରଣ ପଶି ଯୁଦ୍ଧ କରିବା ପରେ ସିଂଘ ବଂଶୀୟ ରାଜାଙ୍କୁ ହତ୍ୟା କରି ଏହି କ୍ଷେତ୍ରକୁ ନିଜ ରାଜ୍ଯରେ ମିଶାଇଥିଲେ। ସେ ସମୟରୁ ମା’ଙ୍କୁ ଠାବ କରାଯାଇ ପୂଜା କରାଯାଉଛି।ମୁଖ୍ଯତଃ ଏଠାରେ ମକର ମେଳା ଓ ଦୁର୍ଗାପୂଜା ବେଶ ଧୁମଧାମରେ ପାଳନ କରାଯାଏ। ଅନ୍ଯପକ୍ଷରେ ଗଡ଼ଚଣ୍ଡୀ ପୀଠଟି ରାଜ୍ଯ ପର୍ଯ୍ଯଟନ ମାନଚିତ୍ରରେ ସ୍ଥାନ ପାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅବହେଳିତ ହୋଇ ପଡିରହିଛି। ସରକାର ଏହି ପୀଠ ପ୍ରତି ନଜର ଦେଲେ ଭବିଷ୍ଯତରେ ଏହା ଜିଲ୍ଲାର ମୁଖ୍ଯ ପର୍ଯ୍ଯଟନ ସ୍ଥଳ ହୋଇପାରନ୍ତା।