ପିପିଲି(କେ ନ୍ୟୁଜ): ଓଡ଼ିଶାର ପରମ୍ପରା ଅନ୍ୟ ରାଜ୍ୟ ତୁଳନାରେ ଖୁବ ସ୍ୱତନ୍ତ୍ର। ହିନ୍ଦୁ ପରମ୍ପରାରେ ଥିବା ସମସ୍ତ ପୂଜାପାଠକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଶ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ଏଠାରେ ପରମ୍ପରାକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ନୀତିକାନ୍ତି ମଧ୍ୟ ଭିନ୍ନ ରହିଛି। ତେବେ ଆଜି ଆମେ ଓଡ଼ିଶାର ସେହି ପାରମ୍ପରିକ ପୂଜା ସଂପର୍କରେ କହିବାକୁ ଯାଉଛୁ। ଯେଉଁ ପରମ୍ପରାରେ ଭଗବାନ ବିଷ୍ଣୁ ଶାଢ଼ି ଉପରେ ଆଗମନ କରିଥାନ୍ତି ଭକ୍ତଙ୍କ ପାଖକୁ।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଇନ୍ଦିପୁର ଗାଁର କୁମାରେଶ୍ୱର ଦେବ ମନ୍ଦିର। ଏଠାରେ ପ୍ରସିଦ୍ଧ ପବିତ୍ର ଦୋଳ ମେଲଣ ଯାତ୍ରା। ପ୍ରତିବର୍ଷ ଏହି ମେଲଣ ବେଶ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯାଇଥାଏ। ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳେ। ପାରମ୍ପରିକ ନୀତି ଅନୁଯାୟୀ ଏଠାରେ ଠାକୁର କୁମାରେଶ୍ୱର ନୂଆ ଶାଢ଼ି ଉପରେ ଭକ୍ତଙ୍କ ପାଖକୁ ଆଗମନ କରିଥାନ୍ତି। ଏହି ମେଲଣ ଯାତ୍ରାରେ ପ୍ରଭୁ ବିମାନରେ ବିଜେ କରି ଗାଁ ପରିକ୍ରମା କରିଥାନ୍ତି । ଘଣ୍ଟ, ହୁଳହୁଳି ନାଦରେ ପ୍ରକମ୍ପିତ ହୋଇଉଠେ ଚତୁଃର୍ଦିଗ। ତେବେ ଏହି ମେଲଣର ସ୍ୱତନ୍ତ୍ରତା ହେଉଛି ନିଜ ଦୁଃଖ ଦୂର କରିବା ସହ ଆଶିର୍ବାଦ ପ୍ରାପ୍ତ କରିବା ପାଇଁ ଏଠାରେ ମହିଳା ମାନେ ନୂଆ ଶାଢ଼ିକୁ ତଳେ ପକାଇଥାନ୍ତି।
ଏହା ଉପରେ ଠାକୁର ଅଗମନ କରିଥାନ୍ତି। ବିଶ୍ୱାସ ରହିଛି ଯେ ଏହି ଶାଢ଼ି ଉପରେ ପଡିଥିବା ପ୍ରଭୁଙ୍କ ଧୂଳିକୁ ଦେହରେ ଲଗାଇଲେ ମାନସିକ ପୂରଣ ହୋଇଥାଏ। ଏହି ଶାଢ଼ୀକୁ ପିନ୍ଧିଲେ ଭକ୍ତର ଅଧିଷ୍ଠ ପୂରଣ ହୁଏ। ବର୍ଷ ବର୍ଷ ଧରି ଜାତି, ବର୍ଣ୍ଣ ,ଧର୍ମ ନିର୍ବିଶେଷରେ ଏଠାରେ ସମସ୍ତେ ଏକାଠି ହୋଇ ପ୍ରଭୁଙ୍କ ଆରଧନା କରି ଶାଢ଼ି ପରା ଦୋଳ ମେଲଣ ପାଳନ କରିଥାନ୍ତି।
ତେବେ ପ୍ରତିବର୍ଷ ଏହି ପୂଜାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଯାଇଛି।