ସାରା ରାତି ମା’ ପାଖେ କାନ୍ଦୁଥିଲା ଝିଅ, କିନ୍ତୁ କେହି ଆଣିଲେନି ଗାଡ଼ି; ଶେଷରେ ଜେସିବିରେ ମହିଳାଙ୍କୁ ନିଆଗଲା ମେଡିକାଲ
କରୋନା ଭାଇରସର ଦ୍ଵିତୀୟ ଲହରୀ ଏତେ ଭୟାନକ ଯେ ଲୋକଙ୍କ ମନରେ ଡର ବସା ବାନ୍ଧି ରହିଛି। କର୍ଣ୍ଣାଟକର କୋଲାର ସହରରେ ଏହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ରାସ୍ତାରେ ଅଚେତ ହୋଇ ପଡ଼ିଯାଇଥିଲେ। କିନ୍ତୁ କରୋନା ଭୟରେ କେହି ତାଙ୍କ ପାଖ ମାଡ଼ି ନଥିଲେ। ଏମିତିକି କେହି ଗାଡ଼ି ରେ ବି ତାଙ୍କୁ ମେଡିକାଲ ନେଇନଥିଲେ। ବାଧ୍ୟ ହୋଇ ମହିଳାଙ୍କୁ ଜେସିବି ମେସିନରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଛନ୍ତି। ମୃତା ମହିଳାଙ୍କ ନାଁ ଚନ୍ଦ୍ରକଳା (୪୨) ବୋଲି ଜଣାଯାଇଛି। ସେ ହୋଟେଲରେ କାମ ଧନ୍ଦା କରି ପେଟ ପୋଷୁଥିଲେ।
ରିପୋର୍ଟ ମୁତାବକ, ବୁଧବାର ରାତିରେ ଚନ୍ଦ୍ରକଳା ୧୨ ବର୍ଷର ଝିଅ ସହ କୁରୁଥହଲ୍ଲୀ ଯାଇଥିଲେ। ସେଠାରେ ଦେହ ଖରାପ ହେବାରୁ ସେ ଫେରି ଆସିଥିଲେ। ରାତି ସାରା ସେ ଏକ ଦୋକାନ ବାହାରେ ବସିଥିଲେ। ସକାଳେ ଗାଁ ଲୋକେ ତାଙ୍କୁ ଖାଇବାକୁ ଦେଇଥିଲେ। ପରେ ସେ ଝିଅ କୋଳରେ ଶୋଇପଡ଼ିଥିଲେ। ଦ୍ବିପ୍ରହରରେ ଝିଅ ତାଙ୍କୁ ଡାକିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଝିଅ କାନ୍ଦିବାରୁ କେହି ସାହାଯ୍ୟ ପାଇଁ ବି ଆସିନଥିଲେ।
କରୋନା ଡରରେ ଲୋକମାନେ ଗାଡ଼ିରେ ମହିଳାଙ୍କୁ ନେବାକୁ ରାଜି ହେଲେ ନାହିଁ। ଏମିତି କି କେହି ଆମ୍ବୁଲାନ୍ସକୁ ବି ଡାକି ନଥିଲେ। ପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଜେସିବି ମେସିନରେ ମେଡ଼ିକାଲ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲା। ମାତ୍ର ସେ କରୋନା ଆକ୍ରାନ୍ତ ନଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ପ୍ରକାଶ ଯେ କିଛି ବର୍ଷ ପୂର୍ବେ ଚନ୍ଦ୍ରକଳାଙ୍କ ସ୍ୱାମୀଙ୍କ ନିଧନ ହୋଇଥିଲା। ସେ ୧୨ ବର୍ଷର ଝିଅ ଓ ୧୦ ବର୍ଷର ପୁଅର ଲାଳନପାଳନ କରୁଥିଲେ।