କେନ୍ୟୁଜ୍(ବ୍ୟୁରୋ): କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସିକିମ ପ୍ରଫେସନାଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଦେଶ ବିଦେଶର ବହୁ ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନରୁ ଶ୍ରୀ ସାମନ୍ତ ସମ୍ମାନ ସୂଚକ ଡକ୍ଟରେଟ୍ ପାଇଥିବା ବେଳେ ଏହା ତାଙ୍କର ୪୬ତମ ଡକ୍ଟରେଟ୍।
ଆଜି ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସିକିମ ସରକାରଙ୍କ କୁଙ୍ଗା ନେମା ଲେପଚା, ବରିଷ୍ଠ ପ୍ରଶାସକ ଜି.ବି. ଉପାଧ୍ୟାୟ, ବିଶ୍ଵବିଦ୍ୟାଳୟର ଚେୟାରମ୍ୟାନ ହେମନ୍ତ କୁମାର ଗୋଏଲ, କୁଳପତି ଏସ ଏସ ହାସନ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ମାନ୍ୟତା ଦେଇ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରିଥିବାରୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କଠିନ ଅଧ୍ୟବସାୟ ସହ ଦୟା କ୍ଷମା ଆଦି ସୁଗଣକୁ ଆପଣାଇ ସମାଜରେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।