ଓବିସିଙ୍କ ପାଇଁ ଖୁସି ଖବର, ମେଡିକାଲ ପାଠ୍ୟକ୍ରମରେ ପଛୁଆ ବର୍ଗଙ୍କ ସଂରକ୍ଷଣ ସଂଖ୍ୟା ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି

କେନ୍ୟୁଜ୍(ବ୍ୟୁରୋ): ଜାତୀୟ ଶିକ୍ଷା ନୀତି ପ୍ରଣୟନକୁ ବର୍ଷେ ପୂରିଛି। ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ ସତ୍ତ୍ୱେ ଦେଶରେ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ ହୋଇଛି। ଯୁବପିଢିର ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭରଶୀଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମାତୃଭାଷା ଓ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୧୪ଟି ଇଞ୍ଜିନିୟରିଂ କଲେଜରେ ହିନ୍ଦୀ ସମେତ ୫ଟି ଭାରତୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ ହେବାକୁ ଥିବା ବେଳେ ଜାତୀୟ ଶିକ୍ଷା ନୀତିର ପ୍ରଣୟନ ଅମୃତ ମହୋତ୍ସବର ମୁଖ୍ୟ ଅଂଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମେଡିକାଲ ଶିକ୍ଷାରେ ଓବିସିଙ୍କୁ ମିଳିବ ସଂରକ୍ଷଣ। ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ଅଲ ଇଣ୍ଡିଆ କୋଟା ଯୋଜନାରେ ଓବିସିଙ୍କ ପାଇଁ ୨୭% ଏବଂ ଆର୍ଥିକ ଦୁର୍ବଳ ବିଭାଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି ଘୋଷଣା କଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ଟ୍ବିଟ ଯୋଗେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ଏହା ପ୍ରତିବର୍ଷ ଆମର ହଜାର ହଜାର ଯୁବକଙ୍କୁ ଉତ୍ତମ ସୁଯୋଗ ପାଇବାରେ ସାହାଯ୍ୟ କରିବ ଏବଂ ଆମ ଦେଶରେ ସାମାଜିକ ନ୍ୟାୟର ଏକ ନୂଆ ମଡେଲ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୨୦୨୧-୨୨ ଲାଗି ଲାଗୁ କରାଯିବ। ଏହି ଯୋଜନା ମାଧ୍ୟମରେ ୧୫୦୦ ଓବିସି ଛାତ୍ରଛାତ୍ରୀ ଏମବିବିଏସରେ ଓ ୨୫୦୦ ଛାତ୍ରଛାତ୍ରୀ ପିଜି ସଂରକ୍ଷଣ ସୁବିଧା ପାଇବେ। ସେହିପରି ଆର୍ଥିକ ପଛୁଆ ବର୍ଗର ୫୫୦ ଏମବିବିଏସ ଓ ୧୦୦୦ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ। ୧୯୮୬ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ଅଲ୍ ଇଣ୍ଡିଆ କୋଟା ସ୍କିମ୍ (AIQ) ଅନୁଯାୟୀ, ଏହି ସୁବିଧା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନରୁ ନିଆଯାଇପାରିବ। ଏହା ପୂର୍ବରୁ ଏହି ଯୋଜନା କେନ୍ଦ୍ରର ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି।

Leave A Reply

Your email address will not be published.