ଭୁବନେଶ୍ବର(କେନ୍ଯୁଜ୍) : ହକି ବିଶ୍ୱକପ୍ ଟିକେଟ୍ ପାଇଁ ହଙ୍ଗାମା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଆଗରେ ଲଙ୍କାକାଣ୍ଡ । ଟିକେଟ ନ ମିଳିବାରୁ ୯ ନମ୍ବର ଗେଟ୍ ଆଗରେ ଭଙ୍ଗାରୁଜା କରିଛନ୍ତି ଦର୍ଶକ । ଉଦ୍ଘାଟନୀ ଉତ୍ସବ ଟିକେଟ୍ ନପାଇବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମ୍ ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ହକିର କ୍ରୀଡ଼ା ମହାକୁମ୍ଭ । ଉଦ୍ଘାଟନୀ ଉତ୍ସବକୁ ଉପଭୋଗ କରିବା ପାଇଁ ଟିକେଟ୍ ପାଇଁ ଗତକାଲି ରାତିରୁ ଦର୍ଶକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଶୀତକୁ ଖାତିରି ନକରି ଶହ ଶହ ଦର୍ଶକ ୯ ନମ୍ବର ଗେଟ୍ ସମ୍ମୁଖରେ ବସି ରହିଥିଲେ । ୨୭ ତାରିଖରେ ଶାହାରୁଖ୍ଙ୍କୁ ଦେଖିବେ ଓ ଏ.ଆର୍ ରେହେମାନ୍ଙ୍କ ଗୀତ ଶୁଣିବେ। ଏଥିପାଇଁ ଜମିଥିଲା ଭିଡ । ତେବେ ଟିକେଟ୍ ସରିଯିବା ନେଇ ଆଜି ସକାଳେ ଘୋଷଣା ହେବାରୁ ଗଣ୍ଡଗୋଳ ହୋଇଥିଲା ।