ରାଜସ୍ଥାନ: ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ତିଆରି ହୁଏ ୭ ହଜାର ଶିବଲିଙ୍ଗ
ଶ୍ରାବଣ ମାସରେ ସମସ୍ତେ ଶିବଙ୍କ ଆରଧାନାରେ ନିଜକୁ ମଗ୍ନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଅନେକ ଭିଡ଼ିଓ ସାମ୍ନାକୁ ଆସୁଛି। ସେହିଭଳି ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ସୁଦୂର ରାଜସ୍ଥାନରୁ। ଶ୍ରାବଣ ମାସରେ ରାଜସ୍ଥାନର ପାଲି ସହରରେ ଭକ୍ତ ମାନେ ଶିବଙ୍କ ପୂଜାରେ ନିଜକୁ ନିମଗ୍ନ କରିଛନ୍ତି।
ରାଜସ୍ଥାନରେ ଭକ୍ତଙ୍କ ମନୋକାମନା ପୂରଣ କରିବା ପାଇଁ ଆର୍ବିଭାବ ହୋଇଛନ୍ତି ସ୍ୱୟଂ ଦେବ ଦେବ ମହାଦେବ। ଆମେ କହୁଛୁ ଏଠାରେ ଥିବା ପ୍ରସିଦ୍ଧ ପର୍ଶୁରାମ ମହାଦେବ ମନ୍ଦିର। ଭଗବାନ ଭୋଳାନାଥଙ୍କ ସାନିଧ୍ୟ ଲାଭ ପାଇଁ ଭକ୍ତ ମାନେ ଏଠାରେ ଅନେକ ପ୍ରକାର ବ୍ରତ ଉପବାସ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ପ୍ରତିଦିନ ୭ ହଜାର ମାଟିର ଶିବଲିଙ୍ଗ ତିଆରି କରାଯାଏ।
ନିୟମ ଅନୁଯାୟୀ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରଥମେ ଭୋଳାନାଥଙ୍କ ପୂଜା କରନ୍ତି ପରେ ମାଟିରେ ତିଆରି ହୋଇଥିବା ଏହି ଶିବଲିଙ୍ଗକୁ ପର୍ଶୁରାମଙ୍କ କୁଣ୍ଡରେ ବିସର୍ଜନ କରିଥାନ୍ତି। ବିଶ୍ୱାସ ରହିଛି ଯେ ଏହା କରିବା ଦ୍ୱାରା ଭକ୍ତର ସମସ୍ତ ସମସ୍ୟା ଦୂର ହୋଇଥାଏ।
ରାଜସ୍ଥାନରେ ଏଭଳି ମାନ୍ୟତା ବହୁ ପୁରାତନ କାଳରୁ ରହିଛି। ପାର୍ଥିବ ଶିବଲିଙ୍ଗକୁ ପୂଜା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ତେବେ ଏହାକୁ ତିଆରି କରିବା ପାଇଁ ନଦୀ କୂଳରୁ ପ୍ରଥମେ ମାଟି ଅଣାଯାଇ ସେଥିରେ ଗୁଡ଼, ଲହୁଣି, କ୍ଷୀର ମିଶାଇ ୩ ଇଞ୍ଚର ଶିବଲିଙ୍ଗ ତିଆରି କରାଯାଏ। ପରେ ଫଳ ଓ ପୁଷ୍ପ ଅର୍ପଣ ସହ ଚନ୍ଦନ ଲେପନ କରାଯାଇ ମହାଦେବଙ୍କ ପୂଜା କରାଯାଏ। ଏହି ସମୟରେ ଶିବମନ୍ତ୍ର ଉଚ୍ଚାରଣ କରାଯାଇଥାଏ। ଶିବଲିଙ୍ଗ ତିଆରି କରିବା ସମୟରେ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବା ଆବଶ୍ୟକ।
ମାନ୍ୟତା ଅନୁଯାୟୀ,ଏହି ପୂଜା ଦ୍ୱାରା ଅକାଳ ମୃତ୍ୟୁ ଯୋଗ କଟିଥାଏ । ସମସ୍ତ ଦୁଃଖ ଦୂର ହୋଇଥାଏ। ରୋଗ ପୀଡ଼ା ଆଦିରୁ ମୁକ୍ତି ମିଳିଥାଏ।