ହୈତିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୨, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କ୍ୟାରିବିୟାନ୍‌ ଦେଶ ହୈତିରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିପରି ପାଖାପାଖି ୨୦୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ରହିଛି ୭.୨। ଆମେରିକୀୟ ଜିଓଲୋଜିକାଲ୍‌ ସର୍ଭେ ଅନୁସାରେ, ଭୂମିକମ୍ପର କେନ୍ଦ୍ର ରାଜଧାନୀ ପୋର୍ଟ-ଆ-ପ୍ରିନ୍ସଠାରୁ ପାଖାପାଖି ୧୫୦ କିମି ପଶ୍ଚିମରେ ପେଟିଟ୍‌ ଟ୍ରୌ ଡି ନିପ୍ସ ସହରଠୁୁ ୮ କିମି ଦୂର ୧୦ କିମି ଗଭୀରରେ ଥିଲା।

ଭୂମିକମ୍ପ ଯୋଗୁ ରାସ୍ତାରେ ଫିସି ରହିଥିବା ଏବଂ ଘର, ହୋଟେଲ ଓ ଅନ୍ୟାନ୍ୟ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଦବି ରହିଥିବା ଲୋକଙ୍କ ଜୀବନ ବଞ୍ଚାଇବାରେ ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍‌ ସାହାଯ୍ୟ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଏହି ବିପର୍ଯ୍ୟୟକୁ ନେଇ ମାସ ବ୍ୟାପି ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଶନିବାର ଆସିଥିବା ଭୂମିକମ୍ପରେ ଅନେକ ସହର ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସେପଟେ ମଧ୍ୟ ଭୂସ୍ଖଳନ ଯୋଗୁ ଉଦ୍ଧାର ଅଭିଯାନ ପ୍ରଭାବିତ ହୋଇଛି।

ପୂର୍ବରୁ ହିଁ କରୋନା ମହାମାରୀ କାରଣରୁ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ହୈତିର ଜନସାଧାରଣଙ୍କ ସମସ୍ୟା ଏବେ ଭୂମିକମ୍ପ ପରେ ଆହୁରି ବଢ଼ିଯାଇଛି। କହି ରଖୁଛୁ, ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା, ମହଙ୍ଗା ମାଡ଼ ଏବଂ ଦାରିଦ୍ର୍ୟତା ଯୋଗୁ ଏଠାକାର ସଙ୍କଟ ବଢ଼ିଯାଇଛି।

 

Leave A Reply

Your email address will not be published.