କିମ୍‌ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ

ଭୁବନେଶ୍ବର(କେନ୍ଯୁଜ୍): କିମ୍‌ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ । କିମ୍‌ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଯୁବକ ଜଣକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ସେ କିଡ୍‌ନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମ ଥର ଲାଗି କିମ୍‌ସ ହସପିଟାଲରେ ଡାକ୍ତରୀଦଳ ଗତ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କଠାରେ କିଡ୍‌ନୀ ପ୍ରତ୍ୟାରୋପଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଯୁବକଙ୍କୁ ତାଙ୍କ ମାଆ କିଡନୀ ଦାନ କରିଥିଲେ । ୨୫ ତାରିଖରେ ଯୁବକଙ୍କ ମାଆ ସୁସ୍ଥ ହେଇ ଘରକୁ ଯାଇଥିବା ବେଳେ ତାଙ୍କ ପୁଅ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ।

କିମ୍‌ସ ହସପିଟାଲର ନେଫ୍ରୋଲୋଜି ବିଭାଗର ଡା. ନିକୁଞ୍ଜ କିଶୋର ରାଉତ, ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ, ଡା. ରାଜେଶ କୁମାର ପାଢୀ, ଡା. କୁମାର ଅଭିଜିତ୍‌ ଦାଶ ଏବଂ ପ୍ରଫେସର ଡା. ସୁରେଶ ଚନ୍ଦ୍ର ଦାଶଙ୍କୁ ନେଇ ଗଠିତ ନେଫ୍ରୋଲୋଜି ଡାକ୍ତରୀଦଳ ଏବଂ ଡା. ସୁମନ୍ତ କୁମାର ମିଶ୍ର, ଡା.ଅମରେଶ ମିଶ୍ର, ଡା.ଜେ. ବି ଜଗଦ୍ଦେବ ଓ ଡା. ସୁମିତ ପଣ୍ଡାଙ୍କୁ ନେଇ ଗଠିତ ଅସ୍ତ୍ରୋପଚାର ଡାକ୍ତରୀ ଦଳ, ନିଶ୍ଚେତକ ବିଭାଗର ଡା. ସଞ୍ଜୟ ବେହେରା, ଡା ଲବ କୁମାର ନାୟକ ଏବଂ ଡା. ଜି. ସି. ଶତପଥୀଙ୍କୁ ନେଇ ଗଠିତ ପ୍ରତ୍ୟାରୋପଣ ଟିମ୍‌ ଦ୍ୱାରା ସଂପୃକ୍ତ ଯୁବକଙ୍କଠରେ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିଲା । ଡା. ନିକୁଞ୍ଜ କିଶୋର ରାଉତ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ।

କିଡ୍‌ନୀ ରୋଗର ଶେଷାବସ୍ଥା ପାଇଁ କିଡ୍‌ନୀ ପ୍ରତ୍ୟାରୋପଣ ଏକ ଫଳପ୍ରଦ ନିଦାନ ବୋଲି ଡାକ୍ତର ରାଉତ କହିଛନ୍ତି । ଗୋଟିଏ କିଡ୍‌ନୀ ଦାନ କରିଦେଲେ ମଣିଷ ଦୁର୍ବଳ ହୋଇଯିବ ଓ ସେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଲୋକଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଛି ତାହା ଠିକ୍‌ ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି । ଏହା ସହ ଡାୟାଲିସିସ୍‌ ଏହାର ସ୍ଥାୟୀ ଉପଚାର ନୁହେଁ ବୋଲି ସେ କହିଛନ୍ତି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ପ୍ରୋତ୍ସାହନ ତଥା କିମ୍‌ସର ମହାନିର୍ଦ୍ଦେଶକ ଡା. ପି. କେ ପଟ୍ଟନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଯୋଗୁଁ କିମ୍‌ସରେ ପ୍ରଥମ କିଡ୍‌ନୀ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଲା ବୋଲି ଡାକ୍ତରୀଦଳ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ ଡାକ୍ତରୀ ଦଳର ସମସ୍ତ ଡାକ୍ତର ଏବଂ ଅନ୍ୟ ସହଯୋଗୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.